ବଲାଙ୍ଗୀର: ଦେଶର ସବୁଠୁ ପଛୁଆ ବ୍ୟାଙ୍କ ହେଉଛି ୟେସ୍ ବ୍ୟାଙ୍କ । ସୂଚନା ଅଧିକାର ଆଇନ ବଳରେ ସାମନାକୁ ଆସିଛି ଏହି ତଥ୍ୟ । କେନ୍ଦ୍ର ଅର୍ଥ ବିଭାଗକୁ ଏନେଇ ତଥ୍ୟ ମାଗିଥିଲେ ବଲାଙ୍ଗୀର ସୂଚନା ଅଧିକାର କର୍ମୀ ।
ୟେସ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲାଗୁ କରିବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ଜଣାପଡ଼ିଛି । ଏହି ବ୍ୟାଙ୍କ ଦେଶରେ 34 ନମ୍ବର ସ୍ଥାନରେ ଥିବା ବେଳେ ଗ୍ରାହକ ସଂଖ୍ୟା ମାତ୍ର 12 ହଜାର 167 ଜଣ ବୋଲି ଜଣାପଡ଼ିଛି । ସେହିପରି ଏହି ବ୍ୟାଙ୍କ ଜନଧନ ଯୋଜନା ଲାଗୁ କରିବାରେ ମଧ୍ୟ ସବୁଠି ପଛୁଆ ବୋଲି ତଥ୍ୟରୁ ପ୍ରକାଶ ପାଇଛି । ସମାନ ଭାବରେ ଜନଧନ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ଏହି ବ୍ୟାଙ୍କ ମିତ୍ର ନିଯୁକ୍ତିରେ ଦେଶ ତମାମରେ ଗୋଟିଏ ହେଲେ ନିଯୁକ୍ତି ଦେଇନାହିଁ ।
ଜଗନ୍ନାଥ କର୍ପସ ଫଣ୍ଡ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଜଗନ୍ନାଥ ପ୍ରେମୀଙ୍କ ପ୍ରଶ୍ନ ତେବେ ଦେଶର ସବୁଠୁ ପଛୁଆ ଥିବା ଏହି ବ୍ୟାଙ୍କର ଆର୍ଥିକ କାରବାରରେ ସଫଳ ନଥିବା ରିପୋର୍ଟ କହୁଥିବା ବେଳେ ଏମିତି ସ୍ଥିତିରେ ରାଜ୍ୟ ସରକାର ତଥା ଜଗନ୍ନାଥ ମନ୍ଦିର ପ୍ରଶାସନ କିଭଳି ଜଗନ୍ନାଥଙ୍କ 5 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାକୁ ୟେସ ବ୍ୟାଙ୍କରେ ଜମା ରଖିଥିଲେ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ତେବେ ନିଶ୍ଚିତ ଭାବରେ ସରକାର ଏହି ବ୍ୟାଙ୍କର କାର୍ଯ୍ୟକଳାପ କିମ୍ବା ରେକର୍ଡ଼କୁ ଧ୍ୟାନ ଦେଇ ନାହାନ୍ତି । ଯେଉଁକାରଣରୁ ଏବେ ଏହି ପରିସ୍ଥିତି ଉପୁଜିଥିବାର ଜଗନ୍ନାଥ ପ୍ରେମୀ କହିଛନ୍ତି । ସମାନ ଭାବରେ ସରକାର ଜଗନ୍ନାଥଙ୍କ ଦୈବୀଙ୍କ ଅର୍ଥ ସମ୍ଭାଳିବାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଛନ୍ତି ବୋଲି ଏମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଅର୍ଥ କେମିତି ଫେରିବ ସେ ନେଇ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ।
ଆଗକୁ ଏହି ଟଙ୍କା ଫେରି ପାଇବାକୁ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ