ବଲାଙ୍ଗୀର: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ ଘଟଣା । ଜବତ ପୁଳା ପୁଳା ଟଙ୍କାର ଗଣତି ଶେଷ ହୋଇଛି । ଟଙ୍କା କଣି ଗଣି ହାଲିଆ ମେସିନ ଓ ଅଧିକାରୀ । କିନ୍ତୁ ଟଙ୍କାର ହିସାବ ହୋଇପାରିନି । ରବିବାର ଟଙ୍କା ଗଣତି ଶେଷ ହୋଇଥିଲେ ମଧ୍ୟ ଏହାର ପରିମାଣ ଜଣାପଡି ନାହିଁ । ଆହୁରି 2 ଦିନ ପରେ ଜବତ ଟଙ୍କାର ପରିମାଣ ଜଣାପଡିବ ବୋଲି ସୂଚନା ମିଳିଛି। ଜବତ ଟଙ୍କା 300 କୋଟିରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି । ଗତ ପାଞ୍ଚ ଦିନ ଧରି ବଲାଙ୍ଗୀର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଗଣତି ଜାରି ରହିଥିଲା। ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସଂଗୀତା ସିଂହଦେଓ । ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନର ଅଜାଣତରେ ଏତେ ବଡ଼ କାରବାର ବର୍ଷ ବର୍ଷ ଧରି ଚାଲିବା ସମ୍ଭବ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ । ଏଥିସହ ସିବିଆଇ ଓ ଇଡ଼ି ତଦନ୍ତ ଦାବି କରିଛନ୍ତି ।
ପଞ୍ଚମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିଲା ଆଇଟି ରେଡ । ଗତକାଲି(ରବିବାର) ରାତି ସୁଦ୍ଧା ସମସ୍ତ 176 ଟଙ୍କା ଭର୍ତ୍ତି ବ୍ୟାଗର ଗଣତି ପ୍ରାୟତଃ ଶେଷ ହୋଇଥିଲା । ହେଲେ ଏହି ସବୁର ହିସାବ ଏଯାଏଁ ହୋଇ ପାରି ନାହିଁ । ଯାହାଫଳରେ ଏଯାଏଁ ଟଙ୍କାର ପରିମାଣ କିମ୍ବା ସଂଖ୍ୟା ସଠିକ ଜଣା ପଡିନାହିଁ । ଏହି ପ୍ରକ୍ରିୟାକୁ ଆହୁରି କିଛି ଦିନ ଲାଗିବ ଓ ହିସାବ ପରେ କେତେ ଟଙ୍କା ଜବତ ହୋଇଛି ତାହା ସ୍ପଷ୍ଟ ହେବ । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜବତ ଟଙ୍କା ଶହଶହ କୋଟି ହୋଇ ପାରେ ଏପରିକି ଏହା ତିନି ଶହ କୋଟି ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ଟଙ୍କା ସହ 60 କେଜି ସୁନା ମଧ୍ୟ ଜବତ ହୋଇଥିବାର ସୂଚନା ମିଳିଛି । ଯାହା ଏଯାଏଁ ସ୍ପଷ୍ଟ ହୋଇନ ଥିଲେ ମଧ୍ୟ ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଏ ବିଷୟରେ ଆଇଟି ବିଭାଗ କିମ୍ବା ବ୍ୟାଙ୍କ ଅଧିକାରୀ ଏଯାଏଁ କୌଣସି ସୂଚନା ଦେଇ ନାହାନ୍ତି।