ବଲାଙ୍ଗୀର:ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକଙ୍କୁ ମିଳୁନାହିଁ କାମ । ଶ୍ରମିକ ବଦଳରେ କାମ କରୁଛି ମେସିନ ।ବଲାଙ୍ଗୀର ଖପ୍ରାଖୋଲରୁ ଆସିଛି ଏପରି ଅଭିଯୋଗ । କାମ କରୁଥିବା ଜେସିବିକୁ ଅଟକ ରଖି ଧାରଣା ଦେଲେ ସ୍ଥାନୀୟ ଲୋକ ।
ଦାଦନ ପ୍ରବଣ ଜିଲ୍ଲା ଭାବରେ ପରିଚିତ ବଲାଙ୍ଗୀର । ଏଠାରେଲୋକେ କାମ ଧନ୍ଦା ନ ପାଇ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟବାକୁ ଯାଇଥାନ୍ତି । ଏଥିରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମନରେଗା ଯୋଜନା । ଯେଉଁଥିରେ ବର୍ଷକୁ 100 ଦିନ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରାଯିବାକୁ ବୋଲି ନିୟମ ରହିଛି । ହେଲେ ବଲାଙ୍ଗୀର ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶ୍ରମିକ କାମ କରି ମାସ ମାସ ପ୍ରାପ୍ୟ ପାଇନଥିବା ବେଳେ ମେସିନ କରୁଛି କାମ । ବ୍ଲକ୍ର ଅନେକ ଗ୍ରାମର ଲୋକେ ଦୀର୍ଘ 15 ଦିନ ହେବ କାମ ପାଇ ନାହାଁନ୍ତି ।
ସେପଟେ ମେସିନ ବା ଜେସିବି କାର୍ଯ୍ୟରେ ନିୟୋଜିତ ହୋଇଥିବା ଜାଣିବା ପରେ ଶ୍ରମିକମାନେ କାମ ବନ୍ଦ କରି ଦେଇଛନ୍ତି । ସମସ୍ତ ମେସିନ୍କୁ ଅଟକ ରଖି ଏମାନେ ଧାରଣା ଦେଇଛନ୍ତି । ଦାମେଇ ପାଲି ଗ୍ରାମରେ ବନ୍ଧ ଉନ୍ନତି କରଣ କରାଯାଉଛି । ମନରେଗା ଯୋଜନାରେ ଯୋଜନାରେ 9 ଲକ୍ଷ ଟଙ୍କା ବ୍ୟୟରେ ଏହି କାମ ହେଉଛି । ଯେଉଁଥିରେ ଶ୍ରମିକଙ୍କୁ 330 ଟଙ୍କା ପ୍ରାପ୍ୟରେ ଏହି କାମ କରା ଯାଉଥିବା ଉଲ୍ଲେଖ ଅଛି । ହେଲେ ଏହା କାଗଜପତ୍ରରେ ଚାଲିଥିବା ବେଳେ ପରିସ୍ଥିତି ଭିନ୍ନ । ଶ୍ରମିକମାନଙ୍କ ଦ୍ଵାରା ହେବାକୁ ଥିବା କାମ ଜେସିବି ସାହାଯ୍ୟରେ କରାଯାଉଛି । ଯାହାର ଖବର ଆଖ ପାଖ ତିନୋଟି ଗ୍ରାମର ଲୋକେ ଜାଣିବା ପରେ କାମ ବନ୍ଦ କରିଛନ୍ତି । ଯେପର୍ଯ୍ୟନ୍ତ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନନେଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଏମାନେ କହିଛନ୍ତି ।