ବଲାଙ୍ଗୀର: ଆଗକୁ ଆସୁଛି ପାର୍ବଣ ଋତୁ । ଏହି ସମୟରେ ବଲାଙ୍ଗୀରରେ ବେଆଇନ ଓ ନକଲି ମଦ କାରବାର ବଢ଼ାଇଛି ଚିନ୍ତା । ଜିଲ୍ଲାରେ ବେଧଡକ ଚାଲିଛି ବେଆଇନ ମଦ କାରବାର । ଜିଲ୍ଲାରେ ଥିବା ସରକାରୀ ମଦ ଦୋକାନ ଓ ସରକାରୀ ଦେଶୀ ମଦ ଭାଟି ଛଡା ସବୁ ଗାଁ ଗଣ୍ଡାରେ ବେଆଇନ କୁଚିଆ ମଦ କାରବାର ଖୁଲମ୍ ଖୁଲା ଚାଲିଛି । ଯାହାଫଳରେ ଗାଁ ଠୁଁ ସହର ସବୁଠି ଅପରାଧ ବଢିବା ସାଙ୍ଗକୁ ସୁସ୍ଥ ସମାଜ ଉପରେକୁ ପ୍ରଭାବ ପଡିଛି । ଏହାଛଡା ଜିଲ୍ଲାରେ ପ୍ରତ୍ୟେକ ଜଙ୍ଗଲ ଓ ବିଭିନ୍ନ ଗ୍ରାମରେ ବେଆଇନ ଭାବରେ ଦେଶୀ ମଦ ତିଆରି କରି ବିକ୍ରି କରି ମାଲେମାଲ ହେଉଛନ୍ତି ମଦ ମାଫିଆ । ଏ ସମସ୍ତ କାରବାର ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛି ଜିଲ୍ଲା ଅବକାରୀ ବିଭାଗ ।
ବିଦେଶୀ ମଦ ନାଆରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନକଲି ମଦ ମଧ୍ୟ ତିଆରି କରି ଲୋକଙ୍କୁ ବିକ୍ରି କରାଯାଉଛି । ଯାହାଦ୍ବାରା ଲୋକଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି । ଜିଲ୍ଲାରେ ଏହି ବେଆଇନ ମଦ କାରବାର ଚରମ ସୀମାରେ ଥିବାବେଳେ, ସାଧାରଣରେ ଲୋକେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଗଣ ପର୍ବ ନୂଆଖାଇ ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଥାଏ ।