ବଲାଙ୍ଗୀର/ ନିଆଳି:ରାଜ୍ୟରେ ଥମୁନି ବେଆଇନ ଗୋରୁ ଚାଲାଣ । ବାହାର ରାଜ୍ୟକୁ ଗୋ ଚାଲାଣ କରି ମାଲାମାଲ ହେଉଛନ୍ତି ଗୋ ମାଫିଆ । ବଲାଙ୍ଗୀର ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଗୋରୁ ଚାଲାଣ ବେଳେ ୨୦୦ରୁ ଊର୍ଦ୍ଧ୍ବ ଗୋରୁ ଜବତ କରିଛି ଲୋଇସିଂହା ପୋଲିସ । ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାରେ ୭ଜଣଙ୍କୁ ପୋଲିସ ଅଟକ ରଖିଛି ।
ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ସାଲେଭଟା ରୋଉତ ଗ୍ରାମରୁ ଏହି ବେଆଇନ ଗୋରୁ ଚାଲାଣ ହେଉଥିବାର ପୋଲିସ ସୂଚନା ପାଇଥିଲା । ଦୁଇଟି ଟ୍ରକରେ ଚାଲାଣ ହେଉଥିବା ବେଳେ ଲୋଇସିଂହା ପୋଲିସ ଚଢ଼ାଉ କରି ୨ଟି ଟ୍ରକକୁ ଜବତ କରିଛି । ଯେଉଁଥିରେ ଗୋରୁ ମାନଙ୍କୁ ଅତି ଦୟନୀୟ ଭାବରେ ଦୁଇ ଥାକ କରି ଏଠୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଛି । ତେବେ ଏହି ମାମଲାରେ ଦୁଇ ଟ୍ରକ ଡ୍ରାଇଭରଙ୍କ ସହ ଦଲାଲ ଓ ବେପାରୀଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଉଦ୍ଧାର ସମସ୍ତ ଗୋରୁଙ୍କୁ ବଲାଙ୍ଗୀର ଠିକାଦାରପଡା ସ୍ଥିତ ଗୋଶାଳାରେ ପୋଲିସ ରଖିଥିବା ସୂଚନା ମିଳିଛି ।
ସେପଟେ ଏନେଇ ଟ୍ରକ ଡ୍ରାଇଭରଙ୍କ କହିବା ଅନୁସାରେ, ସେ ବଲାଙ୍ଗୀର ସାଲେଭଟା ରୋଉତ ଗ୍ରାମରୁ ଜସିପୁରକୁ ଏହି ଗୋରୁଙ୍କୁ ନେଉଥିଲା । ତେବେ ସେଠାକାର ଜଣେ ମିଶ୍ର ବୋଲି ବ୍ୟକ୍ତି ଏହି ଗୋରୁକୁ ବିକ୍ରି କରୁଥିବା ଜଣାପଡିଛି । ତେବେ ଏହା ନିୟମ ଅନୁସାରେ ସଠିକ ନା ନୁହେଁ ସେ ଜାଣି ନ ଥିବା ବେଳେ ତାକୁ ମିଳିଥିବା ଅର୍ଡର ଅନୁସାରେ ସେ ଗୋରୁ ନେଉଥିବାର କହିଛି । ସେପଟେ ଏହି ଘଟଣା ପ୍ରଘଟ ହେବା ପରେ ଗୋ ପ୍ରେମୀ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ଯେଉଁଥିରେ ସୌମ୍ୟ ରଞ୍ଜନ ମିଶ୍ର ଓ କାହ୍ନା ଶତପଥି କହିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାରୁ ପ୍ରତ୍ୟେକ ସପ୍ତାହରେ ଏହି ବେଆଇନ ଗୋରୁ ଚାଲାଣ ହୋଇଥାଏ । ବିଶେଷ କରି ବଲାଙ୍ଗୀର ଜିଲ୍ଲାର ସବୁଠୁ ବଡ ଗୋରୁ ବଜାର ବସୁଥିବା ସାଲେଭଟା ରୋଉତ ଗ୍ରାମରୁ ଏହି ଭଳି ବେଆଇନ ଗୋରୁ ଚାଲାଣ ବାହାର ରାଜ୍ୟକୁ ହୋଇଥାଏ । ଠିକାର କିଛି ସ୍ଥାନୀୟ ମାଫିଆ ଏହି କାମ କରି କୋଟି କୋଟି ଟଙ୍କାର ବ୍ୟାପାର କରନ୍ତି । ତେବେ ଏନେଇ ଅନେକ ଥର ପ୍ରଶାସନ ଓ ପୋଲିସ ପାଖରେ ଏହାର ସୂଚନା ଦେଇ ଆସୁଥିଲେ ସୁଦ୍ଧା କୌଣସି ଠୋସ ପଦକ୍ଷେପ ନିଆଯାଉ ନ ଥିବାର ଏମାନେ କହିଛନ୍ତି ।