ବଲାଙ୍ଗୀର: ସାତ ଜନ୍ମର ସାଥି ହେବାକୁ ପ୍ରତିଶ୍ରୁତି ଦେଇ କରିଥିଲା ପ୍ରେମ ବିବାହ । ହେଲେ ପାରିବାରିକ କଳହ ଯୋଗୁଁ ସେହି ସ୍ବାମୀ ଆଜି ନୃଶଂସ ପାଲଟି ଯାଇଛି । ସ୍ତ୍ରୀକୁ ହତ୍ୟା କଲା ସଇତାନ ସ୍ବାମୀ, ପରେ ପ୍ରମାଣ ନଷ୍ଟ ପାଇଁ ସମ୍ପର୍କୀୟଙ୍କ ସହ ମିଶି ପୋଡ଼ିଦେଲା । ମହିିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ସତ ସାମ୍ନାକୁ ଆସିଛି । ମୃତ ମହିଳା ଜଣକ ହେଉଛନ୍ତି ଚୁଳବତୀ ସାହୁ । ବଲାଙ୍ଗିର ଜିଲ୍ଲା ପୁତୁଲାମହୁଲ ଗ୍ରାମରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସହ ୩ ଜଣଙ୍କୁ ଗିରଫ କରିଛି ।
ଅଭିଯୋଗ ଅନୁସାରେ, ଗତ 16 ତାରିଖରେ ଚୁଳବତୀଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଘର ଲୋକେ କୌଣସି ସୂତ୍ରରୁ ଖବର ପାଇଥିଲେ । ଏହାପରେ ସଙ୍ଗେସଙ୍ଗେ ପୁତୁଳାମହୁଲ ଗାଁରେ ପହଞ୍ଚି ତାଙ୍କ ଝିଅକୁ ଦେଖିବାକୁ କହିଥିଲେ । କିନ୍ତୁ ବିଭିନ୍ନ ବାହାନା ଦେଖାଇ ଝିଅକୁ ଦେଖାଇ ନଥିଲେ ପୁଅ ଘର ଲୋକେ । ଏପରିକି ଝିଅକୁ ଝାଡ଼ା ବାନ୍ତି ହୋଇଛି ଏବଂ ସେମାନେ ବୁର୍ଲା ଡାକ୍ତରଖାନା ଯାଇଥିବାର କହିଥିଲେ । ଏଥିରେ ସନ୍ଦେହ ଆହୁରି ବଢ଼ିବାରୁ ଚୁଳବତୀଙ୍କ ବାପା ଖପ୍ରାଖୋଲ ଥାନାକୁ ଆସି ଝିଅର ନିଖୋଜ ଓ ହତ୍ୟା ଅଭିଯୋଗ କରିଥିଲେ l ପୋଲିସ ଘଟଣାକୁ ଗୁରୁତ୍ବର ସହକାରେ ନେଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ସ୍ଵାମୀ ତେଜରାଜ ସାହୁ, ତାଙ୍କ ବଡ଼ ଭାଇ ଟିକେଲାଲ ସାହୁ ଏବଂ ସମ୍ପର୍କୀୟ ଗୁଣନିଧି ସାହୁଙ୍କୁ ଗିରଫ କରି ପୋଡ଼ି ଦେଇଥିବା ମୃତ ଶରୀରର ହାଡ଼ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ l