ବଲାଙ୍ଗୀର: ଜିଲ୍ଲାରେ ଆଜି ପ୍ରଥମ ଥର ବିପୁଳ ପରିମାଣର ବେଆଇନ ମଦ ଉପରେ ଚାଲିଲା ପୋଲିସର ଡୋଜର । ବେଆଇନ ମଦ କାରବାର ଉପରେ ପୋଲିସର ଏହା ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ଏଠି ଦେଖିବାକୁ ମିଳିଛି । ତେବେ ବଲାଙ୍ଗୀର ଜିଲ୍ଲାରେ ବେଆଇନ ମଦ କାରବାର ଚରମରେ ପହଞ୍ଚି ଥିବା ବେଳେ ପୋଲିସ ଏବେ ପଦକ୍ଷେପ ନେବା ଆରମ୍ଭ କରିଛି । ଯେଉଁଥିରେ ଆଜି ଜିଲ୍ଲାର ସମସ୍ତ 18ଟି ଥାନାରେ ହୋଇଥିବା 508ଟି ବେଆଇନ ମଦ କାରବାର ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ତାଙ୍କଠୁ ହଜାରହଜାର ଲିଟର ବେଆଇନ ଦେଶୀ ମଦ, ଦେଶୀ ରନ୍ଧା ମଦ ସବୁ ଜବତ କରା ଯାଇଥିଲା । ଏଥିସହ ଆଜି ବଲାଙ୍ଗୀର ସହର ନିକଟରେ ଥିବା ବିଜଖମନ ନିକଟସ୍ଥ ଜଙ୍ଗଲରେ ଏହାକୁ ନଷ୍ଟ କରାଯାଇଥିଲା।
ତେବେ ମୋଟ ସାତ ହଜାର ଲିଟରରୁ ଅଧିକ ଦେଶୀ ମଦ ପାଉଚ, ରନ୍ଧାମଦ, ମଦ ଡ୍ରମ ଇତ୍ୟାଦିକୁ ପୋଲିସ ଡୋଜ଼ର ଚଢାଇ ନଷ୍ଟ କରିଛି । ଯେଉଁଥିରେ ନିଜେ ବଲାଙ୍ଗୀର ଏସ୍ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ଜିଲ୍ଲାର ସମସ୍ତ 18ଟି ଥାନାର ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଏହି ଅଭିଯାନରେ ବଲାଙ୍ଗୀର ଅବକାରୀ ବିଭାଗର ଅଧିକାରୀ ସମେତ ଅବକାରୀ ଅଧିକ୍ଷକ ମଧ୍ୟ ଉପସ୍ଥିତ ଥିଲେ । ତେବେ ଜିଲ୍ଲାରେ ବେଆଇନ ମଦ କାରବାର ରୋକିବାକୁ ପୋଲିସ ସ୍ବତନ୍ତ୍ର ଡ୍ରାଇଭ କରିଥିବା ବେଳେ ଏଥିରେ ମୋଟ 508ଟି ମାମଲା ରୁଜୁ କରିଛି । ସମାନ ଭାବରେ ଏଥିରେ ଗିରଫ ହୋଇଥିବା ଦୋଷୀଙ୍କୁ ଆର୍ଥିକ ଜୋରିମାନା ସହ ଜେଲ୍ ପଠା ଯାଇଥିବା ପୋଲିସ ଏସ୍ପି ନୀତିନ କୁସଲକର ସୂଚନା ଦେଇଛନ୍ତି।