ବଲାଙ୍ଗୀର: ଆଜିର ନାରୀ ଆଉ ଚାରି କାନ୍ଥରେ ଆବଦ୍ଧ ନରହି ନିଜ ଭାଗ୍ୟ ନିଜ ହାତରେ ଲେଖିବାରୁ ବିଶ୍ବାସ ରଖନ୍ତି । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବଲାଙ୍ଗୀର ଜିଲ୍ଲା ବାସିନ୍ଦା ଆରତୀ ଜୈଶ୍ୱାଲ । ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଗୃହିଣୀରୁ ସେ ଆଜି ପ୍ରଶାସନିକ ଅଧିକାରୀ ହୋଇପାରିଛନ୍ତି । ୨୦୨୧ ପ୍ରଶାସନିକ ସେବା ପରୀକ୍ଷାରେ ୪୨୫ ନମ୍ବର ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ପାରିବାରିକ ଜଞ୍ଜାଳରୁ ବାହାରି ନିଜ ସ୍ବପ୍ନକୁ ପୂରଣ କରିଛନ୍ତି ଆରତୀ ଜୈଶ୍ୱାଲ ।
ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଳା ବ୍ଲକ ତୁସୁରା ଏନଏସି ବାସିନ୍ଦା ମହିଳା ଆରତୀ ଜୈଶ୍ବାଲ । ସ୍ୱାମୀ ଅଜୟ କୁମାର ଜୈଶ୍ୱାଲ ଜଣେ ଜଣାଶୁଣା ରାଜନେତା । ଏଥର ସେ ତୁସୁରା ଏନଏସି ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଆରତୀଙ୍କ ଏକ ଝିଅ ମଧ୍ୟ ରହିଛି । ସେ ଜଣେ ଗୃହିଣୀ ଭାବେ ନିଜ ଜୀବନ ଶୈଳୀ ବିତାଉଥିଲେ । ହେଲେ ସମାଜସେବା କରିବା ଲାଗି ତାଙ୍କର ଢେର ଆଗ୍ରହ ରହିଥିଲା । ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବାକୁ ସେ ସ୍ୱପ୍ନ ଦେଖିଥିଲେ । ଆଏଏସ ଓ ଓଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ନିଶ୍ଚିତ କରିଥିଲେ । ହେଲେ ତାଙ୍କ ସମ୍ମୁଖରେ ବାଧା ଥିଲା ପାରିବାରିକ ଜଞ୍ଜାଳ । କିନ୍ତୁ ପରିବାର ଲୋକେ ତାଙ୍କ ସ୍ବପ୍ନରେ ବାଧକ ନସାଜି ତାଙ୍କୁ ସହଯୋଗ କରିଥିଲେ । ଘରେ ରହି ପରୀକ୍ଷା ପ୍ରସ୍ତୁତି କରିଥିଲେ । ମାତ୍ର ଏଥିରେ ସେ ଚାରିଥର ବିଫଳ ହୋଇଥିଲେ । ଶେଷରେ ଭୁବନେଶ୍ୱର ଯାଇ ପାଠ ପଢ଼ିବାକୁ ସେ ନିଶ୍ଚିତ କଲେ । ଘରେ ସ୍ୱାମୀ ଓ ଛୋଟ ଝିଅକୁ ଛାଡି ସେ ଭୁବନେଶ୍ବର ଯାଇ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କଲେ । କଠିନ ପରିଶ୍ରମ ବଳରେ ସେ ଆଜି ଏହି ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ମାହୋଲ ।