ବଲାଙ୍ଗୀର:ପୁଣି ସାମ୍ନାକୁ ଆସିଲା ଜାଲ ସାର୍ଟିଫିକେଟ ଘଟଣା । ଲମ୍ବି ଚାଲିଛି ନକଲି ସାର୍ଟିଫିକେଟ କାରବାରର ଚେର । ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଧିକାରୀଙ୍କ ଗିରଫଦାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ବଲାଙ୍ଗୀର ଜିଲ୍ଲାରେ ଶୁକ୍ରବାର ପୁଣି ଜଣେ ହାଇସ୍କୁଲ ଶିକ୍ଷକ ଏହି ମାମଲାରେ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ନାମ ଭକ୍ତ କୁମାର ସେଠ୍ । ସେ ଆଗଲପୁର ବ୍ଳକ ଡୁଡୁକା ପଲ୍ଲୀଶ୍ରୀ ହାଇସ୍କୁଲରେ କାର୍ଯ୍ୟରତ ଥିଲେ ।
ବଲାଙ୍ଗୀର ଜିଲ୍ଲାରେ ଜାଲ ସାର୍ଟିଫିକେଟ କାରବାର ଘଟଣାରେ ଗିରଫଦାରୀ ବଢିଚାଲିଛି । ଏହି ସଂଖ୍ୟା ଏବେ 7ରେ ପହଞ୍ଚିଛି । ଜିଲ୍ଲାରେ ଜାଲ ସାର୍ଟିଫିକେଟ ସିଣ୍ଡିକେଟ ଧରାପଡ଼ିବା ପରେ ଏହି ଜାଲ ସାର୍ଟିଫିକେଟରେ ସରକାରୀ ଚାକିରି ହାତେଇଥିବା ଗୋଟିଏ ପରେ ଗୋଟିଏ ଅଧିକାରୀ ଗିରଫ ହୋଇଛନ୍ତି । ତେବେ ଏହି କ୍ରମରେ ପୁଣି ବନ୍ଧା ହୋଇଛନ୍ତି ଆଉ ଜଣେ ହାଇସ୍କୁଲ ଶିକ୍ଷକ । ଜାଲ ସାର୍ଟିଫିକେଟ ମାମଲା ସାମ୍ନାକୁ ଆସିବା ପରେ ସମସ୍ତ ସରକାରୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଛାନଭିନ ଚାଲିଛି । ଏଥିରେ ଏହି ଶିକ୍ଷକ ଭକ୍ତ କୁମାରଙ୍କ ବିଇଡି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା ।
ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ନକଲି ଶିକ୍ଷକଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆଜି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେ କିଛି ଦିନ ପୂର୍ବରୁ ଗୁଡ଼ଭେଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବିଆରସିଏସ ଶ୍ୟାମସୁନ୍ଦର ପ୍ରଧାନକୁ ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ୍ ଦେଇ ଚାକିରି ହାତେଇଥିବା ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିଭଳି ବଲାଙ୍ଗୀର ବ୍ଲକ ବିଇଓ କାର୍ଯ୍ୟାଳୟର ଏବିଇଓ ଶ୍ୟାମସୁନ୍ଦର ମେଣ୍ଡିଲୀ ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଜଣାପଡ଼ିବା ପରେ ଚାକିରିରୁ ବିଦା କରାଯାଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଏବେ ଏବିଇଓ ଜଣଙ୍କ ଫେରାର୍ ଅଛନ୍ତି ।