ବଲାଙ୍ଗୀର:ଦଇବ ହେଲା ନିଷ୍ଠୁର। ଗୋଟିଏ ବର୍ଷରେ ତିନି ଭାଇଭଉଣୀ ମୁଣ୍ଡରୁ ଛଡାଇ ନେଲା ମାଆ ବାପାଙ୍କ ହାତ। ଏବେ ଅନାଥ ତିନି ଭାଇ ଭଉଣୀ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଗୋଟିଏ ଭଉଣୀ ମାନସିକ ଅକ୍ଷମ ଥିବା ବେଳେ ଆଉ ଜଣେ ଭଉଣୀ ଖେଳିବା ବୟସରେ ପେଟ ପଟଣା ପାଇଁ ଦାଦନ ଖଟିବାକୁ ଯାଇଛନ୍ତି । ଫଳରେ ପୋଲିସ ହେବାକୁ ସ୍ବପ୍ନ ଦେଖିଥିବା ଭାଇର ଆଶା ମଉଳିଗଲା ଭଳି ମନେ ହେଉଛି । ବଲାଙ୍ଗୀର ଜିଲ୍ଲାରେ ଏହି ତିନି ଭାଇ ଭଉଣୀଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼ ।
ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବିଡିଘାଟ ଗ୍ରାମର ଏହି କୋମଳମତି ତିନି ଭାଇ ଭଉଣୀ। ବଡ ଭଉଣୀ କ୍ଷୀରବତୀ ରଣା ବୟସ 20 ବର୍ଷ । ସେ ମାନସିକ ଅନଗ୍ରସର, ମଝିଆ ଭଉଣୀ ନିରବତୀ ରଣା ବୟସ ମାତ୍ର 16 ବର୍ଷ ଏବଂ 11 ବର୍ଷର ଭାଇ ହେମନ୍ତ ରଣା । ଗରିବ ହେଲେ ବି ହସ ଖୁସିରେ କଟୁଥିଲା ଏମାନଙ୍କ ସମୟ । ହେଲେ ଏମାନଙ୍କ ପାଇଁ ନିଷ୍ଠୁର ହେଲା ଦଇବ । ମାଆ ସଂଜୁକ୍ତା ରଣାଙ୍କ ଅକାଳ ବିୟୋଗ ହୋଇଗଲା । ମାଆଙ୍କୁ ହରାଇବା ଦୁଃଖ ନଭୁଲୁଣୁ ୬ମାସ ପରେ ବାପା ବି ଆରପାରିକୁ ଚାଲିଗଲେ । ଏହାପରେ ୩ ଭାଇଭଉଣୀଙ୍କ ସାହାରା ପାଲଟିଲେ ଆଇ । ହେଲେ 3 ପିଲାଙ୍କ ଶେଷ ସାହାରା ଆଈ ଭାନୁମତି ରଣାଙ୍କ ମଧ୍ୟ ଗତ 2 ମାସ ତଳେ ଦେହାନ୍ତ ହୋଇଛି । ଦେଖୁ ଦେଖୁ ଅନାଥ ହୋଇ ଗଲେ ତିନି ଭାଇ ଭଉଣୀ। ପଢିବା ଖେଳିବା ବୟସରେ ଏ ତିନି ଭାଇ ଭଉଣିଙ୍କ ଜୀବନ ଦୁଃଖର ପାହାଡ ତଳେ ଚାପି ହୋଇ ଯାଇଛନ୍ତି । ବର୍ତ୍ତମାନ ଘରର ବଡ ଝିଅ ମାନସିକ ଅନଗ୍ରସର ହୋଇ ବି ପଦାକୁ ଗୋଡ କାଢିଥିଲେ । ସେତିକିରେ ଚଳିଲାନି ପରିବାର । ମଝିଆ ଭଉଣୀ ବି ଦାଦନ ଖଟିବାକୁ ବାହାରକୁ ଚାଲିଗଲେ । ଏବେ ବହୁ କଷ୍ଟରେ ଚଳୁଛନ୍ତି 3 ଭାଇଉଭଣୀ ।
ଏନେଇ ଘରର ବଡ଼ ଝିଅ କ୍ଷୀରବତୀ କହିଛନ୍ତି, "ବର୍ଷେ ମଧ୍ୟରେ ମାଆ ବାପା ଓ ଆଈଙ୍କୁ ହରାଇ ଅନାଥ ହୋଇଯାଇଛୁ । ଆଗକୁ ବଞ୍ଚିବା ପାଇଁ ସଂଘର୍ଷ କରୁଛୁ । ଟଙ୍କା ଯୋଗାଡ଼ ହେଲେ ଚୁଲି ଜଳୁଛି ନହେଲେ ଏଠି ସେଠି ହାତ ପତାଇବାକୁ ପଡୁଛି । ତେଣୁ ଆମକୁ କିଛି ସହାୟତା ପ୍ରଦାନ କରାଯାଉ ।"