ବଲାଙ୍ଗୀର: କଣ୍ଟାବାଞ୍ଜିରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଦୋକାନ ଗୃହ ଭାଙ୍ଗିବା ଓ ତାଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ୍ । କଣ୍ଟାବାଞ୍ଜି ପୋଲିସ ଟିଟିଲାଗଡ଼ ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପଜିଲ୍ଲାପାଳ ସୌମେଶ ଉପାଧ୍ୟାୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏପରିକି ତାଙ୍କ ସହ କଣ୍ଟାବାଞ୍ଜି ତହସିଲଦାର ଅଶୋକ ମାଝୀ, ତତ୍କାଳୀନ ଏନଏସି ଇଓ ବିଷ୍ଣୁପ୍ରିୟା ମିଶ୍ର, ଆରଆଇ ବନମାଳି ବାରିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଉପଜିଲ୍ଲାପାଳ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ଉକ୍ତ ଦିବ୍ୟାଙ୍ଗ ଯୁବତୀ ଜଣକ ହେଉଛନ୍ତି ରୂପଳ କୌର ମାଖିଜା । ହାଇକୋର୍ଟଙ୍କ ସ୍ଥଗିତାଦେଶ ଥିଲେ ବି ତାଙ୍କ ଘର ଓ ଦୋକାନ ଭାଙ୍ଗିଥିଲା ପ୍ରଶାସନ । ରୂପଳଙ୍କ ଅଭିଯୋଗ ଅନୁସାରେ, ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ହାଇକୋର୍ଟଙ୍କ ଅର୍ଡରକୁ ବି ପ୍ରଶାସନିକ ଅଧିକାରୀ ଅଣଦେଖା କରିଥିଲେ । ପୂର୍ବରୁ ନୋଟିସ ନଦେଇ ବୁଲଡଜର ଲଗାଇ ଥିଲେ । କାହିଁ କେତେ ବର୍ଷରୁ ସେ ସେଠାରେ ରହି ଦୋକାନ କରି ଜୀବିକା ନିର୍ବାହ କରୁଥିଲେ, କିନ୍ତୁ କେହି ଶୁଣିନଥିଲେ ।