ବଲାଙ୍ଗୀର:ସ୍କୁଲ ଭିତରେ ଛାତ୍ରୀଙ୍କୁ ନିର୍ଯାତନା । ପାଠପଢା ସମୟରେ ସ୍କୁଲରେ ପଶିରେ ଛାତ୍ରୀଙ୍କୁ ଶୌଚାଳୟରେ ତାଲା ପକାଇଲେ ସ୍କୁଲ ପରିଚାଳନା କମିଟି ସଭାପତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୁରୋମାଲ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସଭାପତି ସଦାନନ୍ଦ ବାଞ୍ଛୋର ସ୍କୁଲରେ ପଶି ୪ ଜଣ ଛାତ୍ରୀଙ୍କୁ ଶୌଚାଳୟରେ ବନ୍ଦ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସଭାପତିକୁ ଗିରଫ କରିଛି ।
ଘଟଣାଟି ଗତ ମଙ୍ଗଳବାର ଦିନର । ଅଭିଯୋଗ ଅନୁସାରେ, ବୁରୋମାଲ ସ୍କୁଲର ସଭାପତି ସଦାନନ୍ଦ ବାଞ୍ଛୋର୍ ପାଠପଢା ଚାଲିଥିବା ବେଳେ ସ୍କୁଲକୁ ଆସିଥିଲେ । ସେଠି ଚାରି ଜଣ ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ । ଫଳରେ ଛାତ୍ରୀମାନେ ଭୟରେ ସ୍କୁଲ ଶୌଚାଳୟ ମଧ୍ୟକୁ ପଶି ଯାଇଥିଲେ । ଆଉ ସଦାନନ୍ଦ ସେହି ଶୌଚାଳୟକୁ ବାହାର ପଟୁ ତାଲା ପକାଇ ବନ୍ଦ କରି ରଖିଥିଲେ । ଛାତ୍ରୀମାନେ ଚିତ୍କାର କରିବାରୁ ସ୍କୁଲ କର୍ତ୍ତୃପକ୍ଷ ପ୍ରାୟ ଅଧଘଣ୍ଟା ପରେ ଶୌଚାଳୟ ଭିତରୁ ସେମାନଙ୍କୁ ଉଦ୍ଧାର କରିଥିଲେ । ପୀଡିତା ୪ ଜଣ ଛାତ୍ରୀ ଘରକୁ ଫେରିବା ପରେ ଏହି ଘଟଣା ସମ୍ପର୍କରେ ଅଭିଭାବକଙ୍କୁ ଜଣାଇଥିଲେ । ଏହାପରେ ବୁଧବାର ସନ୍ଧ୍ୟାରେ ଅଭିଭାବକମାନେ କଣ୍ଟାବାଞ୍ଜି ଥାନରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପୀଡ଼ିତ ଛାତ୍ରୀମାନଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ କରି ସମ୍ପୃକ୍ତ ସ୍କୁଲ ସଭାପତି ସଦାନନ୍ଦ ବଞ୍ଛୋରଙ୍କୁ ଗିରଫ କରିଛି ।
ଏହାମଧ୍ୟ ପଢନ୍ତୁ: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ପଣସ ଖାଇଲା କିଏ, କାହା ମୁଣ୍ଡରେ ଅଠା ?