ବଲାଙ୍ଗୀର: ବଲାଙ୍ଗୀର ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ। ବହୁ ପ୍ରତୀକ୍ଷିତ ଗାଈଖାଇ ଇକୋ ଟୁରିଜମ ଉଦଘାଟିତ ହୋଇଛି । ଗତକାଲି ଓଡ଼ିଶା ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଏହାର ଉଦଘାଟନ କରିଛନ୍ତି । ଆମୋଦ ପ୍ରମୋଦ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗାଈଖାଇରେ ଏଥର ଜମିବ ପର୍ଯ୍ୟଟକଙ୍କ ଭିଡ଼ । ବିଭିନ୍ନ ପ୍ରକାରର ବୋଟିଂ ସହ ଆକ୍ବା ସ୍ପୋର୍ଟ୍ସର ମିଳିବ ମଜା । ତେବେ ବଲାଙ୍ଗୀର ସଦର ମହକୁମାଠାରୁ 35 କିମି ଦୂରରେ ଆଗଲପୁର ବ୍ଲକରେ ଅବସ୍ଥିତ ଏହି ଗାଇଖାଇ ପ୍ରକଳ୍ପ । 26 ନମ୍ବର ଜାତୀୟ ରାଜପଥ ଲୋଇସିଂହା ସାଲେଭଟା ମଧ୍ୟରେ ଏହାର ଅବସ୍ଥିତି ।
ଜିଲ୍ଲା ଓ ଜିଲ୍ଲା ବାହାର ପର୍ଯ୍ୟଟକ ଏଠାକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି । ବିଶେଷ କରି ଶୀତ ସମୟରେ ଏଠି ପର୍ଯ୍ୟଟକଙ୍କ ଭିଡ଼ ଜମି ଆସୁଥିଲା । ତେଣୁ ଏହାର ବିକାଶ ପାଇଁ ସବୁ ବେଲେ ଦାବି ହୋଇ ଆସୁଥିବା ବେଳେ ଏବେ ଏହା ପୁରଣ ହୋଇଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 73 ଲକ୍ଷ ଟଙ୍କାର ପ୍ରାଥମିକ ପର୍ଯ୍ୟାୟରେ ଅନୁଦାନ ଆସିଥିଲା । ଯେଉଁଥିରେ ଗାଇଖାଇ ପ୍ରକଳ୍ପରେ ଇକୋ ଟୁରିଜମର ବିକାଶ ପାଇଁ ଖର୍ଚ୍ଚ କରା ଯାଇଛି । ସେପଟେ ଏହି ଇକୋ ଟୁରିଜମ ଆରମ୍ଭ ପ୍ରଥମ ଦିନରୁ ହିଁ ଏଠି ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିକ୍ଷିତ ହୋଇଛି । ସମସ୍ତେ ପ୍ରାକୃତିକ ମନୋରମ ଦୃଶ୍ୟ ସହିତ ଜଳ କ୍ରୀଡ଼ା ଓ ବୋଟିଂର ବେଶ ମଜା ନେଉଛନ୍ତି ।