ବଲାଙ୍ଗୀର:ଗତ କିଛିଦିନର ବ୍ୟବଧାନ ପରେ ପୁଣି ଜିଲ୍ଲାରୁ ଗଞ୍ଜେଇ ଜବତ ହୋଇଛି । ଆଜି ରାୟଗଡାରୁ ଛତିଶଗଡ଼ ଚାଲାଣ ବେଳେ ଧରିଲା ବଲାଙ୍ଗୀର ପୋଲିସ । ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଛତିଶଗଡର ଜଣକୁ ଗିରଫ କରିଛି ବଲାଙ୍ଗୀର ସଦର ଥାନା ପୋଲିସ । ଗିରଫ ବ୍ୟକ୍ତିଙ୍କ ନାମ ଓମ ପ୍ରକାଶ ଛାବରା ବୋଲି ଜଣାପଡିଥିବା ବେଳେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି ।
ସୂଚନାଅନୁସାରେ, ରାୟଗଡାରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୁତ୍ରରୁ ଖବର ପାଇଥିଲା ପୋଲିସ । ଟିଟିଲାଗଡ଼ ରୋଡ଼ ଋଦ୍ଧି ସିଦ୍ଧି ହୋଟେଲ ପାଖ ପେଟ୍ରୋଲ ପମ୍ପ ନିକଟରେ ପିକଅପ ଭ୍ୟାନ ଅତିକ୍ରମ କରିବା ସମୟରେ କାବୁ କରିଥିଲେ । ଭ୍ୟାନରେ ଘରକରଣା ସାମଗ୍ରୀ ଥିବା ବେଳେ ତାହାରି ମଧ୍ୟରେ ବଡ ବଡ ବାକ୍ସରେ ବିପୁଳ ଗଞ୍ଜେଇ ଭର୍ତ୍ତି ଥିବାର ପୋଲିସ ଜାଣିଥିଲା। ତେବେ ଏହି ବିପୁଳ ମାତ୍ରାର ଗଞ୍ଜେଇ କୋରାପୁଟ ଜିଲ୍ଲା ରାୟଗଡ ଠାରୁ ଛତିଶଗଡ଼ ରାଜ୍ୟ ରାୟଗଡ଼କୁ ଚାଲାଣ ହେଉଥିଲା। ତେବେ ପିକଅପ ଗାଡିର ଚାଳକ ଓମ ପ୍ରକାଶ ଛାବରାକୁ ପୋଲିସ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି। ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ତରଫରୁ କୁହାଯାଇଛି ।
ସେପଟେ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଥିବା ଛତିଶ ଗଡ଼ ରାଜ୍ୟ ରାୟଗଡର ଓମ ପ୍ରକାଶ ଛାବରା କହିବା ଅନୁସାରେ, "କିଛି ଲୋକ ଦୁଇ ଲକ୍ଷ ଟଙ୍କାରେ ଗାଡି ଭଡା ନେଇଥିଲେ। କୋରାପୁଟ ରାୟଗଡାରୁ ଘରକରଣା ସାମଗ୍ରୀ ଛତିଶଗଡ଼କୁ ନେଉଥିଲେ। ସେଥିରେ ଗଞ୍ଜେଇ ରହିଥିବା ମୁଁ ଜାଣିନଥିଲି ।"