ବଲାଙ୍ଗୀର:କୁକୁଡ଼ା ଚୋରିକୁ ନେଇ ଲଙ୍କାକାଣ୍ଡ । କୁକୁଡା ପାଇଁ ଗୋଟିଏ ପରିବାର ଉପରେ ଏସିଡ ଫିଙ୍ଗିଲା ଅନ୍ୟ ପରିବାର । ପାରିବାରିକ ବିବାଦ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିବାବେଳେ ନିଆଁରେ ଘିଅ ଢାଳିବା ଭଳି ହେଲା କୁକୁଡା ଚୋରି । ପ୍ରତିଶୋଧର ନିଆଁରେ ଜଳୁଥିବା ଦୁଇ ପରିବାର ଭିତରେ କୁକୁଡାକୁ ନେଇ ଗଣ୍ଡଗୋଳ ପରେ ହେଲା ଏସିଡ ମାଡ । ଗୋଟିଏ ପରିବାରର ଏସିଡ ମାଡରେ ଅନ୍ୟ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ବଙ୍ଗୋମୁଣ୍ଡାର ସଞ୍ଜୁ ସାହୁଙ୍କ ପରିବାର ଓ ନେପାଳ ସାହୁଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ଗତ କିଛି ଦିନ ତଳେ ନେପାଳ ସାହୁଙ୍କ କୁକୁଡ଼ା ଚୋରିକୁ ନେଇ ପୁଣି ମୁଣ୍ଡ ଟେକିଥିଲା ବିବାଦ । ପାରିବାରିକ ବିବାଦ ସହ କୁକୁଡା ଚୋରିକୁ ନେଇ ଉଭୟ ପରିବାର ଲୋକଙ୍କ ମଧ୍ୟରେ ପ୍ରତିଶୋଧର ନିଆଁ ଜଳିଥିଲା । ଗତକାଲି(ଶୁକ୍ରବାର) ନେପାଳ ସାହୁଙ୍କ ପରିବାର ଲୋକେ ସଞ୍ଜୁ ସାହୁଙ୍କ ଘରକୁ ଆସି ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଆତର୍କିତ ଆକ୍ରମଣ କରିଥିଲେ । ଏହାସହ ନେପାଳ ସାହୁ ବୋତଲରେ ଆଣିଥିବା ଏସିଡ ସଞ୍ଜୁଙ୍କ ପରିବାର ଲୋକଙ୍କ ଉପରେ ଫିଙ୍ଗିଥିଲେ । ଏହି ଏସିଡ ଆକ୍ରମଣରେ ସଞ୍ଜୁ ସାହୁ, ତାଙ୍କ ଦୁଇ ପୁଅ ସୁବାଷ ସାହୁ ଓ ଜଗବନ୍ଧୁ ସାହୁ ଏବଂ ଜଗବନ୍ଧୁଙ୍କ ଶାଳକ ଖଗ ସାହୁ ଗୁରୁତର ହୋଇଥିଲେ ।