ବଲାଙ୍ଗୀର: ଜଙ୍ଗଲରୁ ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଆଜି କଣ୍ଟାବାଞ୍ଜି ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତ ଫାଇନାନ୍ସ କର୍ମଚାରୀ ହେଲେ ସବିଲିୟାସ ହରପାଲ୍ । ସେ ଗତ ଦୁଇଦିନ ହେବ ନିଖୋଜ ଥିଲେ । ତେବେ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବଲାଙ୍ଗୀର କଣ୍ଟାବାଞ୍ଜି ଠାରେ ସ୍ପନ୍ଦନା ଫାଇନାନ୍ସ କମ୍ପାନୀରେ ଏଜେଣ୍ଟ ଭାବରେ କାର୍ଯ୍ୟରତ ଥିବା ସବିଲିୟାସ ହରପାଲ ଗତ ଦୁଇ ଦିନରୁ ନିଖୋଜ ଥିଲେ । ତେବେ ତାଙ୍କର ମୋବାଇଲ ବନ୍ଦ ଥିବାବେଳେ ସେ ଦୁଇ ଦିନରୁ ଅଫିସ ଆସି ନଥିଲେ । ଯାହାପରେ ଫାଇନାନ୍ସ କମ୍ପାନୀର ମ୍ୟାନେଜର କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି କଣ୍ଟାବାଞ୍ଜିରୁ ବିର୍ଣା ଗାଁ ଯିବା ରାସ୍ତାରେ ଥିବା ଜଙ୍ଗଲରେ ପାଖରେ କିଛି ଯୁବକ ଖେଳୁଥିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ଦେଖିଥିଲେ । ଏହାପରେ କଣ୍ଟାବାଞ୍ଜି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ବ୍ୟାଗ ଏବଂ ବାଇକ ଜବତ କରିଛି । ଏହାସହ ବଲାଙ୍ଗୀରର ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ହରପାଲକୁ କେହି ହତ୍ୟାକରି ଝୁଲେଇ ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।