ଅନୁଗୋଳ: ଜୋରିମାନା ଦେଇ ନ ପାରିବାରୁ ଚାଷୀଙ୍କୁ ଉଠ ବସ କରାଇଲେ ତହସିଲଦାର । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର କିଶୋରନଗର ଥାନା ଛକରେ । ଯାହାର ଭିଡିଓ ପାଖରେ ଥିବା ଏକ ସିସିଟିଭିରେ କଏଦ ହୋଇଛି ।
ସୂଚନା ଅନୁସାରେ, ଶନିବାର ଅପରାହ୍ନରେ କିଶୋରନଗର ଥାନା ଛକ ଠାରେ ପୋଲିସ ଓ ପ୍ରଶାସନ ମିଳିତ ଭାବେ ମାସ୍କ ଯାଞ୍ଚ କରୁଥଲେ । ଏହି ସମୟରେ ନିକଟସ୍ଥ ପାଣ୍ଡୁରିପଥର ଗାଁର ଦୁଇ ଚାଷୀ ମାଗୁଣି ସାହୁ ଓ ସୁଶାନ୍ତ ରଣା ଧାନ ବିଲରୁ କାମ ସାରି ମୋଟରସାଇକେଲ ଯୋଗେ ଘରକୁ ଫେରୁଥିଲେ । କିଶୋରନଗର ତହସିଲଦାର ଲକ୍ଷ୍ମୀ ପ୍ରସାଦ ସାହୁ ସେମାନଙ୍କୁ ଅଟକାଇ କାହିଁକି ମାସ୍କ ନାକ ତଳକୁ କରିଛ ବୋଲି ତାଗିଦ କରିବା ସହ 5 ଶହ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କହିଥିଲେ । କିନ୍ତୁ ଚାଷୀମାନେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ତହସିଲଦାର ସେମାନଙ୍କୁ ଦଶ ଥର ଲେଖାଏଁ ଉଠ ବସ ହେବାକୁ କହିଥିଲେ ।