ବଲାଙ୍ଗୀର:ଆସନ୍ତା 16 ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ହେବ ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ପୂର୍ବପୁରୁଷ ସୁଲିଆ ବୁଢା ସହିତ 33 କୋଟି ଦେବାଦେବୀଙ୍କୁ ପୂଜା କରିବେ ଆଦିବାସୀ । ଯାତ୍ରାରେ ମାନସିକଧାରୀଙ୍କ ଜମିବ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଆଦିବାସୀ ତଥା ଯାତ୍ରା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି ଶୃଙ୍ଖଳାରେ ସୁଲିଆ ଯାତ୍ରା ପାଳନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ପାଇଁ ନିଷ୍ପତ୍ତି ହୋଇଛି ।
ବଲାଙ୍ଗୀର ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ବର୍ଷର ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳିତ ହୋଇଥାଏ । ଚଳିତ ବର୍ଷ ଏହି ତିଥି 16 ଜାନୁଆରୀରେ ପଡୁଥିବା ବେଳେ ଏହି ଦିନ ଆଦିବାସୀ ସମ୍ପ୍ରଦାୟ ସୁଲିଆ ଯାତ୍ରା ପାଳନ କରିବେ । ନିଜ ପୂର୍ବପୁରୁଷ ସୁଲିଆ ବୁଢା ଓ 33 କୋଟି ଦେବଦେବୀଙ୍କୁ ପୂଜା କରିବା ସହ ସୁଲିଆ ବୁଢା ପାଖରେ ମନାସିକ କରିବେ ଆଦିବାସୀ । ସେହିପରି ଯେଉଁ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହୋଇଥିବ ସେମାନେ ଧୂପ ନଡ଼ିଆ ଓ ପଶୁ ପକ୍ଷୀ ବଳି ସୁଲିଆ ବୁଢା ପାଖରେ ଅର୍ପଣ କରିବେ । ଏଥିରେ ଆଦିବାସୀଙ୍କ ଅତୁଟ ବିଶ୍ୱାସ ଥିବାବେଳେ ଜିଲ୍ଲା ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ମଧ୍ୟ ସମାବେଶ ହେବ ।
ଶହ ଶହ ଭକ୍ତ ସମାଗମ ହେବାକୁ ଦୃଷ୍ଟିରେ ରଖି ଯାତ୍ରା କମିଟିର ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି । ସେହିପରି ପ୍ରଶାସନ ମଧ୍ୟ ଏହି କମିଟି ଓ ଆଦିବାସୀ ନେତାଙ୍କ ସହ ବୈଠକ କରି ଯାତ୍ରାକୁ ସୂଚାର ରୂପେ କରିବା ପାଇଁ ଆଲୋଚନା କରିଛି । ସୁଲିଆ ଯାତ୍ରା ଉପଲକ୍ଷେ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ।
ବଲାଙ୍ଗୀର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉପଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଅନ୍ୟାନ୍ୟ କାର୍ଯ୍ୟାଳୟର ଅଧିକାରୀ ସହିତ ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଓ ଯାତ୍ରା କମିଟି ଉପସ୍ଥିତ ଥିଲେ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀ ଏହି ସୁଲିଆ ଯାତ୍ରା ପାଳନ କରିଥାନ୍ତି । ବଲାଙ୍ଗୀର ତୁସୁରା ଥାନା ଅନ୍ତର୍ଗତ ଖାଇରଗୁଡା ମୁଖ୍ୟ ସୁଲିଆ ବୁଢା ପୀଠରେ ଏହାର ମୁଖ୍ୟ ପୂଜା ଓ ଯାତ୍ରା ଅନୁଷ୍ଠିତ ହେବ । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତ ସାମିଲ ହେବେ ।