ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ବିକାଶକୁ ନେଇ ମୁହାଁମୁହିଁ ନରସିଂହ-କଳିକେଶ - ବଲାଙ୍ଗୀରରେ ପ୍ରକଳ୍ପ ଉଦଘାଟନ ରାଜନୀତି

ବଲାଙ୍ଗୀରରେ ବିଭିନ୍ନ ପ୍ରକଳ୍ପ ଉଦଘାଟନକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ବିଜେଡି ପୂର୍ବତନ ସାଂସଦ ତଥା ବର୍ତ୍ତମାନର ହଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ମଧ୍ୟରେ କଥା କଟାକଟି ହୋଇଛି । ଅଧିକ ପଢନ୍ତୁ

politics over project innguration in balangir
ବଲାଙ୍ଗୀରରେ ବିକାଶକୁ ନେଇ ମୁହାଁମୁହିଁ ନରସିଂହ-କଳିକେଶ

By ETV Bharat Odisha Team

Published : Sep 13, 2023, 3:13 PM IST

ବଲାଙ୍ଗୀରରେ ବିକାଶକୁ ନେଇ ମୁହାଁମୁହିଁ ନରସିଂହ-କଳିକେଶ

ବଲାଙ୍ଗୀର: ଜିଲ୍ଲାରେ ଏବେ ନିର୍ବାଚନୀ ହାୱା ବହୁଛି । ଏହାରି ଭିତରେ ବିକାଶ ଓ ଉଦଘାଟନ ରାଜନୀତି ମଧ୍ୟ ଜୋର ଧରିଛି । ବଲାଙ୍ଗୀରର ଦୁଇ ନେତା ଏହାକୁ ନେଇ ସାମ୍ନାସାମ୍ନି ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାର ବିକାଶ ଓ ଉଦଘାଟନକୁ ନେଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟରୋପ ସ୍ଥିତି ଉପୁଜିଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ବିଜେଡି ପୂର୍ବତନ ସାଂସଦ ତଥା ବର୍ତ୍ତମାନର ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ମଧ୍ୟରେ ଏହି ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଦୁଇ ପାୱାର ହାଉସ୍‌ ରାଜା ପରିବାର ଓ ନରସିଂହଙ୍କ ମଧ୍ୟରେ ସବୁ ବେଳେ ଛକାପଞ୍ଝା ଲାଗି ରହିଥାଏ । ଏବେ ନିର୍ବାଚନୀ ବିଗୁଲ ବାଜିବାକୁ ଥିବା ବେଳେ ପୁଣି ଏହି ଦୁଇଦଳ ଦୁଇ ନେତାଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି । ବିକାଶ ଓ ଉଦଘାଟନକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିଗତ କିଛି ମାସ ହେବ ଦୁଇ ଜଣ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପୃଥକ ପୃଥକ ଭାବରେ କରୁଛନ୍ତି । ଭବ୍ୟ ସମାରୋହ ସହିତ କର୍ମୀମାନଙ୍କୁ ନେଇ ଏସବୁ ଉଦଘାଟନ କାର୍ଯ୍ୟ କରୁଛନ୍ତି । ଉଭୟ ସବୁ ବିକାଶ ପାଇଁ ଶ୍ରେୟ ନେଇଛନ୍ତି । ତେବେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନୀ ମଣ୍ଡଳୀରେ ବିଭିନ୍ନ ଗାଁ ସହର ବୁଲି ଗୋଟିଏ ପରେ ଗୋଟିଏ ନୂଆ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଅପର ପକ୍ଷରେ ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ ମଧ୍ୟ ସହର ଓ ବିଭିନ୍ନ ବ୍ଲକରେ ବିକାଶମୂଳକ କାମ ପାଇଁ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି ।

ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, "2014ରୁ ସେ ନିର୍ବାଚିତ ହେବା ପରେ ବଲାଙ୍ଗୀର ବିକାଶ ଦେଖିଛି ଏବଂ ଏହାର ପରିଣାମ 2014ରେ ସେ ପାଇଥିବା ଭୋଟ ଅପେକ୍ଷା 2019ରେ ତାର ପ୍ରତିଶତ ଅଧିକ 2 ପ୍ରତିଶତ ରହିଥିଲା । ଲକ୍ଷ୍ମୀଜୋର ଉନ୍ନତିକରଣ ସହ ଏଠି ତିନିଟି ନୂଆ ବ୍ରିଜ ହୋଇଛି । ଯାହାର ବ୍ୟୟ ଅଟକଳ ବିରୋଧୀ ଉଦଘାଟନ କିମ୍ବା ଶିଳାନ୍ୟାସ ଦେଉଥିବା ବ୍ୟୟରୁ ଢେର ଅଧିକ ବୋଲି ସେ କହିଛନ୍ତି । ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ତାର ସମୁଦାୟ ଟଙ୍କାକୁ ବଲାଙ୍ଗୀର ଟାଉନରେ ମିଶାଇ ଦେଲେ ଗୋଟିଏ ବ୍ରିଜରୁ କମ ହେବ । ଜଣେ ହାଉସିଂବୋର୍ଡ ଅଧ୍ୟକ୍ଷ ଭାବେ ସେ ପ୍ରକଳ୍ପର ଉଦଘାଟନ କରିପାରିବେ ନାହିଁ । ସେ ଜଣେ ସରକାରୀ କର୍ମଚାରୀ । ସେ ଯଦି ବିଧାୟକ ମନ୍ତ୍ରୀଙ୍କୁ ତଳେ ପକାଇ ଉପରକୁ ଯିବାକୁ ଚେଷ୍ଟା କରିବେ ତାହା ବେଆଇନ ।"

ଏହା ବି ପଢନ୍ତୁ...ବହୁ ପ୍ରତୀକ୍ଷିତ ଐତିହାସିକ ରାଜେନ୍ଦ୍ର ପାର୍କ ପୁଣି ନୂଆ ରୂପରେ ଉଦଘାଟିତ

ଜବାବରେ ପୂର୍ବତନ ସାଂସଦ ତଥା କଳିକେଶ ସିଂହଦେଓ କହିଛନ୍ତି, "ବଲାଙ୍ଗୀରରେ ଯାହା ବି ମୁଖ୍ୟ ପ୍ରକଳ୍ପ ଏବେ ଚାଲିଛି କିମ୍ବା ସମ୍ପୂର୍ଣ୍ଣ ହୋଇଛି ତାହା 2014 ପୂର୍ବରୁ ତାଙ୍କ ସମୟର ବୋଲି ସେ କହିଛନ୍ତି । ଏଥିରେ 2013 ମେଡ଼ିକାଲ କଲେଜ ନିର୍ମାଣ, 2012ରେ ବାଇପାସ ପ୍ରସ୍ତାବ ଏଭଳି ଅନେକ ପ୍ରକଳ୍ପ ତାଙ୍କ ପ୍ରଚେଷ୍ଟାରେ ଓ ବାପା ଏୟୁ ସିଂହଦେଓଙ୍କ ସମୟରେ ହୋଇଛି । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଦେଇଛନ୍ତି । ଯେଉଁଥିରେ ବିଭିନ୍ନ ମନ୍ଦିର ଓ କମ୍ୟୁନିଟି ପାଇଁ 2ରୁ 3 କୋଟି ଟଙ୍କା ଆସିଛି ।"

ସେ ଆହୁରି କହିଛନ୍ତି, "ସେହିପରି ରାସ୍ତା ସବୁ ପାଇଁ 20 କୋଟି, ପାଣି ଯୋଗାଣ ଓ ନାଳ ନିର୍ମାଣ ପାଇଁ 30 କୋଟି, ମୁକ୍ତା ଯୋଜନାରେ 15 କୋଟି ଓ 17ଟି ପୋଖରୀର ବିକାଶ ସାଙ୍ଗକୁ ମହାରାଣୀ ସାଗର ପାଇଁ 12 କୋଟି ଟଙ୍କା ଆସିଛି । ବହୁ ବର୍ଷ ହେବ ଅନେକ ସଂସ୍ଥା ପାଇଁ ଟଙ୍କା ଆସୁ ନଥିବାବେଳେ ଏବେ ଟଙ୍କା ଆସିଛି । ଯାହାଦ୍ୱାରା ସେମାନେ ଉପକୃତ ହେବେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଜଣେ ବୈୟଜ୍ୟେଷ୍ଠ ନେତା ହୋଇ ମଧ୍ୟ କେବଳ ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସରେ ସୀମିତ କଥା କହି ବିକାଶ ବଦଳରେ ରାଜନୀତି କରୁଛନ୍ତି ।" ଆଗକୁ ନିର୍ବାଚନ ଅଛି ଏବଂ ଏହି ଶ୍ରେୟ ରାଜନୀତିରେ କିଏ ବାଜି ମାରୁଛି ଲୋକ କାହାକୁ ବିଶ୍ଵାସ କରିବେ ତାହା ସମୟ କହିବ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details