ବଲାଙ୍ଗୀର: ଜିଲ୍ଲାରେ ଜମି ମାଫିଆଙ୍କ ରାଜ । କାଗଜ ପତ୍ରରେ ଚଞ୍ଚକତା କରି ଜମି ମାଫିଆ ମାନେ ସରକାରୀ ଜମି ହଡ଼ପ କରିଥିଲେ । ତାକୁ ପ୍ଲଟିଂ କରି କୋଟି କୋଟି ଟଙ୍କାରେ ବିକ୍ରି କରୁଥିବାର ତଦନ୍ତ ଭିତ୍ତିକ ଖବର ‘ଇଟିଭି ଭାରତ’ରେ ଉପସ୍ଥାପିତ ହୋଇଥିଲା । ଖବର ପ୍ରସାରଣ ପରେ ଆକ୍ସନ ନେଇଛି ପ୍ରଶାସନ । ଜମି ମାଫିଆଙ୍କ ଠାରୁ ସରକାରୀ ଖାତାକୁ ଜମି ଫେରିଛି ।
ବଲାଙ୍ଗୀର ଜିଲ୍ଲା ଏବେ ବିକାଶଶୀଳ ହୋଇଥିବା ବେଳେ ଏଠି ଲୋକ ସଂଖ୍ୟା ବଢିବାରେ ଲାଗିଛି । ଅନେକ ଅନୁଷ୍ଠାନ ଖୋଲିବା ମଧ୍ୟ ଆରମ୍ଭ ହୋଇଛି । ସୀମିତ ଥିବା ଜମି ଦର କିନ୍ତୁ ଏଠି ଏବେ ଆକାଶ ଛୁଆଁ । କିଛି ଦଶନ୍ଧୀ ଧରି ଏଠି ଜମି ମୂଲ୍ୟ ଦୁଇଶହ ଗୁଣରୁ ଅଧିକ ବଢ଼ିଛି । ଆଉ ଏଥିରେ ମାଲେମାଲ ହେଉଛନ୍ତି ଜମି ଦଲାଲ ଓ ମାଫିଆ । ହଜାର ହଜାର କୋଟି ଟଙ୍କାର ଜମି ବେପାର କରି ମାଲେମାଲ ହେଉଛନ୍ତି । ସରକାରୀ ଜମି ହଡ଼ପ କରି ତାକୁ ପ୍ଲଟିଂ କରି କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ଏହାର ତଦନ୍ତ ଭିତ୍ତିକ ବିସ୍ତୃତ ରିପୋର୍ଟ ଆମେ ଗତ ୨୦୨୧ ମାର୍ଚ୍ଚ ମାସରୁ ବାରମ୍ବାର ଉପସ୍ଥାପିତ କରି ଆସିଥିଲୁ । ଏପରିକି ସେ ସମୟରେ କିଛି ପଦକ୍ଷେପ ପ୍ରଶାସନ ନେଇଥିଲା । ଯେଉଁଥିରେ ଜାଲ ଜମି ମାଲିକ ସାଜି ମାଫିଆ ମାନେ ଜମି ବିକ୍ରି କରିଥିବାର ଜଣାପଡିଥିଲା । ଏଥିରେ ୬ ଜଣ ଜମି ମାଫିଆ ଗିରଫ ହୋଇଥିଲେ । ସେହିପରି ଏହି ମାମଲାରେ ତତ୍କାଳୀନ ତହସିଲଦାର ନିଲମ୍ବିତ ହୋଇ ଗିରଫ ହୋଇଥିଲେ । ସେପଟେ ଏବେ ପ୍ରଶାସନ ପୁଣି ଏହି ଜମି ଦୁର୍ନୀତି ଉପରେ ପଦକ୍ଷେପ ନେବା ଆରମ୍ଭ କରିଛି ।