ଓଡିଶା

odisha

ବଲାଙ୍ଗୀରରେ ବଜାୟ ରହିଛି ଦାଦନ ଦୁଃଖ: ଥିଲେ ଲୋକ ପ୍ରତିନିଧି, ହେଲେ ଖଟିଖିଆ ଦାଦନ

By

Published : Dec 28, 2021, 4:08 PM IST

ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ପୁଣି ଏକ ଦାଦନର ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି । ଜିଲ୍ଲାରେ ଜଣେ ନିର୍ବାଚିତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗ (Block Vice President Raju Bag) । କାମ ନପାଇବାରୁ ପେଟ ପାଟଣା ପାଇଁ ନିଜେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ଯାହା ଚିନ୍ତାଜନକ ବିଷୟ ହୋଇଛି । ଏହି ଘଟଣା ସରକାରୀ ଯୋଜନା ଓ ତାର ରୂପାୟନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଅଧିକ ପଢନ୍ତୁ

ବ୍ଲକ ଉପାଧ୍ୟକ୍ଷରୁ ବନିଲେ ଦାଦନ
ବ୍ଲକ ଉପାଧ୍ୟକ୍ଷରୁ ବନିଲେ ଦାଦନ

ବଲାଙ୍ଗୀର:ପଦାରେ ପଡିଛି ବଲାଙ୍ଗୀର ବିକାଶର ଚିତ୍ର । ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ପୁଣି ଦାଦନର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାରେ ଜଣେ ନିର୍ବାଚିତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗ (Block Vice President Raju Bag) କାମ ନପାଇବାରୁ ପେଟ ପାଟଣା ପାଇଁ ନିଜେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ଯାହା ଚିନ୍ତାଜନକ ବିଷୟ ହୋଇଛି । ଏହି ଘଟଣା ସରକାରୀ ଯୋଜନା ଓ ତାର ରୂପାୟନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯିଏ ଦିନେ ଲୋକ ପ୍ରତିନିଧି ହୋଇ ଲୋକଙ୍କୁ ଦାଦନ ଖଟି ନା ଯିବାକୁ ସଚେତନ କରୁଥିଲେ ଆଜି ସେହି ନେତା ଦାଦନ ଖଟିବାକୁ ବାହାର ରାଜ୍ୟମୁହାଁ ହୋଇଛନ୍ତି ଯାହା ଏକ ଚିନ୍ତାର ବିଷୟ ହୋଇଛି ।

ବଲାଙ୍ଗୀରରେ ବାଟବଣା ବିକାଶ , ସେବେର ଲୋକପ୍ରତିନିଧି ଏବେ ଦାଦନ

ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଦେଓଗାଁ ବ୍ଳକ କୁଳୁତପଡା ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଖଇରଗୁଡ଼ା ଗ୍ରାମର ରାଜୁ ବାଗ। ସେ ଦେଓଗାଁ ବ୍ଳକର ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହେରଙ୍କ ଜଣେ ଦୃଢ଼ ସମର୍ଥକ ହୋଇଥିବାରୁ ମେହେରଙ୍କ ସ୍ତ୍ରୀ ରୀନା ମେହେର ଚେୟାରମ୍ୟାନ ହୋଇଥିବା ବେଳେ ସେ ଉପାଧ୍ୟକ୍ଷ ଗାଦିରେ ବସିଥିଲେ। ଆଉ ଏବେ ପଞ୍ଚାୟତ ନିର୍ବାଚନ ପାଖରେ ଆସୁଥିବା ବେଳେ ପୂର୍ରତନ ଉପାଧ୍ୟକ୍ଷ ରାଜୁ ବାଗ ରାଜ୍ୟ ବାହାରକୁ ଦାଦନ ଖଟିଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏ ବିଷୟରେ ଖବର ପାଇଲା ପରେ ଆମ ପ୍ରତିନଧି ଉପାଧ୍ୟକ୍ଷ ରାଜୁ ବାଗଙ୍କ ଗାଁ ଖାଇରଗୁଡାକୁ ଯାଇ ଅନୁସନ୍ଧାନ କରିଥିଲେ । ଗାଁ ଲୋକେ କହିବା ଅନୁଯାୟୀ ରାଜୁ ବାଗ ଏଠାରେ କିଛି କାମ ନ ପାଇ ନଥିଲେ ତେଣୁ ବାଧ୍ୟ ହୋଇ ସ୍ତ୍ରୀକୁ ଶ୍ବଶୁର ଘରେ ଛାଡ଼ି ଦେଇ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଛନ୍ତି । ସେ ତାମିଲନାଡୁରେ କୋଏମ୍ବାଟୁର ସହରରେ ଥିବା ଏକ ବାନିୟନ କାରଖାନାରେ ଶ୍ରମିକ ଭାବରେ କାମ କରୁଥିବା ଜଣାପଡିଛି ।

ଦୁଇ ବର୍ଷର କୋରୋନା କଟକଣା କୋହଳ ହେବା ପରେ ବଲାଙ୍ଗୀରରେ ପୁଣି ଥରେ ଆରମ୍ଭ ହେଇଛି ଦାଦନ ଋତୁ । ଭିଟା ମାଟି ଛାଡି ରୋଜଗାର ଆଶାରେ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି ଯୁବ ଗୋଷ୍ଠୀ। ଏହାରି ଭିତରେ କିଏ ମୃତ ଅବସ୍ଥାରେ ଫେରୁଛି ତ ପୁଣି ଆଉ କିଏ ଗୋଡ଼ ହାତ ହରାଇ। ତେବେ କୋରୋନାର ପ୍ରଥମ ଲହରବେଳେ ଆଗ ଧାଡ଼ିର ଯୋଦ୍ଧା ସାଜି ଯିଏ ଲୋକଙ୍କୁ ସଚେତନ କରି ଦାଦନ ଫେରିବା ଲୋକଙ୍କ କଥା ବୁଝୁଥିଲେ ଆଜି ସେ ନିଜେ ଯାଇଛନ୍ତି ଦାଦନ ଖଟି । ଜିଲ୍ଲାର ଦେଓଗାଁ ବ୍ଳକରେ ହଜାର ହଜାର ଲୋକଙ୍କ ଭୋଟ ପାଇ ବିଜୟୀ ହୋଇଥିବା ଦେଓଗାଁ ବ୍ଳକର ଉପାଧ୍ୟକ୍ଷ ଦାଦନ ଖଟି ଯାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖାଲି ରାଜୁ ନୁହଁନ୍ତି ପୁରା ଜିଲ୍ଲାର ଅବସ୍ଥା ଶୋଚନୀୟ । ସମାନ ଭାବରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି କାଳ ସାଜିଥିବାବେଳେ ପେଟ ପୋଷିବା ପାଇଁ ଅନ୍ୟ ଉପାୟ ନ ପାଇ ଏହିଭଳି ଏହି ଗାଁର ଅନେକ ଯୁବକ ଓ ପରିବାର ଗାଁ ଛାଡି ଦାଦନ ଖଟି ଯାଇଥିବାର ଲୋକେ କହିଛନ୍ତି । ବ୍ଳକ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଆସୁଥିବାବେଳେ ଜଣେ ବ୍ଳକ ଉପାଧ୍ୟକ୍ଷ ରାଜ୍ୟ ବାହାରକୁ ଦାଦନ ଖଟି ଯିବା ଦୁର୍ଭାଗ୍ୟଜନକ ହୋଇଛି । ଓଡ଼ିଶା ରାଜ୍ୟରେ ଭୋକିଲା ରହିବେ ନାହିଁ କି ରାଜ୍ୟ ବାହାରକୁ କେହି ବି ପେଟ ପୋଷିବା ପାଇଁ କାମ କରିବାକୁ ଯିବେ ନାହିଁ ଏଥିପାଇଁ କେନ୍ଦ୍ର ସରକାର ୨୦୦୫ ମସିହାରେ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାକୁ ସୁପରିଚାଳିତ କରିବା ସହ ଲୋକାଭିମୁଖୀ କରିବା ଓ ସଚେତନ କରିବା ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ହୋଇଗଲା। ହେଲେ ୨୦୦୫ ମସିହାରୁ ୨୦୨୧ ମସିହା ମାତ୍ର ୧୫ ବର୍ଷ ଭିତରେ ଏହି ଯୋଜନା କିପରି କାର୍ଯ୍ୟକାରୀ କରୁଛି ତାହା ଦେଓଗାଁ ବ୍ଳକ ଉପାଧ୍ୟକ୍ଷ ଦାଦନ ଯିବା ପ୍ରମାଣିତ କରୁଛି। ସେପଟେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବଲାଙ୍ଗୀର ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି । ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ ଥିବାବେଳେ ଯୋଜନାର ସଫଳ ରୂପାୟନ କରିବାରେ ସେ ସମ୍ପୂର୍ଣ୍ଣ ବିଫଳ ବୋଲି କହିଛନ୍ତି ନରସିଂହ ମିଶ୍ର ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details