ବଲାଙ୍ଗୀର:କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ ଆଇନକୁ ନେଇ ବଢୁଛି ବିରୋଧ । ଏନେଇ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଏହି କ୍ରମରେ ବଲାଙ୍ଗୀରରେ ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ସଂଘ । ଆଜିଠୁ(ଶୁକ୍ରବାର) ବଲାଙ୍ଗୀରରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି । ଯେଉଁ କାରଣରୁ ସହରରେ ଗାଡି ଚଳାଚଳ ପୁରାପୁରି ଠପ୍ ହୋଇଯାଇଛି । ବସ୍ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବା ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।
ସୂଚନା ଅନୁସାରେ, ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଆଜି ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ସହରରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନରେ ବଲାଙ୍ଗୀର ଘରୋଇ ବସ ଡ୍ରାଇଭର ଓ ଟ୍ୟାକ୍ସି ଡ୍ରାଇଭରମାନେ ମଧ୍ୟ ସାମିଲ ହୋଇଛନ୍ତି । ଫଳରେ ଯାତାୟତ ଠପ୍ ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହେଉଥିବା ଦେଖାଯାଇଛି ।
ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ:ଷ୍ଟିୟରିଂ ଛାଡ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ ପାଇଁ ଜାରି ରହିବ ବୋଲି ଡ୍ରାଇଭର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆରମ୍ଭ ହୋଇଥିବା ବେଳେ ସରକାର ଦାବି ଶୁଣି ନୂଆ ଆଇନ ପ୍ରତ୍ୟାହାର ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଡ୍ରାଇଭର ସଂଘ । ଏହି ଆନ୍ଦୋଳନ ଯୋଗୁଁ ବସ୍ ସହିତ ଟ୍ୟାକ୍ସି ସେବା ମଧ୍ୟ ବନ୍ଦ ରହିଛି ।