ବଲାଙ୍ଗୀର: ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ପିଇବାକୁ ବିଶୁଦ୍ଧ ପାଣି ପାଉ ନାହାନ୍ତି ଲୋକେ । ପାଣି ନମୁନା ପରୀକ୍ଷଣରୁ ଏହା ପିଇବା ଯୋଗ୍ୟ ନଥିବା ଜଣା ପଡ଼ିଥିଲେ ମଧ୍ୟ ପ୍ରଶାସନ କୌଣସି ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି, ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମହେଲେଇ ପଞ୍ଚାୟତର ବଳାରପାଳି ଗ୍ରାମରୁ ।
ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳୁଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ଅନେକ ଗ୍ରାମାଞ୍ଚଳରେ ବିଶୁଦ୍ଧ ପିଇବା ପାଣି ସାତ ସପନ । କିଛି ଗ୍ରାମରେ ଲୋକ ଜଳ ବଦଳରେ ଜହର ପିଉଥିବାର ଅଭିଯୋଗ କରିଛନ୍ତି । ତେବେ ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ମହେଲେଇ ପଞ୍ଚାୟତର ବଳାରପାଳି ଗ୍ରାମରେ ପ୍ରାୟ ୧୫ ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପିଇବା ପାଣି ପାଇଁ ମାତ୍ର ୧୦ ଟି ନଳକୂପ ଅଛି । ଏହି ସବୁ ନଳକୂପର ପାଣି ଲୋକେ ନିୟମିତ ବ୍ୟବହାର କରୁଥିବା ବେଳେ ଅନେକ ପାଣି ଜନିତ ରୋଗରେ ଆକ୍ରାନ୍ତ ଥିବାର କହିଛନ୍ତି ।