ବଲାଙ୍ଗୀର:ଭାଇଚାରାର ପର୍ବ ହୋଲି। ଏନେଇ ବଲାଙ୍ଗୀରରେ ଯାଦବ ସମ୍ପ୍ରଦାୟ ତାଙ୍କର ପାରମ୍ପାରିକ ରୀତି ନୀତି ଓ ନାଚ ଗୀତରେ ମସଗୁଲ ହୋଇ ପାଳିଛନ୍ତି ଦୋଳପୂର୍ଣ୍ଣିମା। ବିଶେଷ କରି ଦୋଳପୂର୍ଣ୍ଣମାରେ ଏମାନେ ରୀତିନୀତି ଅନୁସାରେ ରାଧା ମାଧବଙ୍କ ପୂଜା କରିବା ସହ ତାଙ୍କର ଯୁଗଳ ମୂର୍ତ୍ତି ନେଇ ସହର ପରିକ୍ରମା କରିଛନ୍ତି। ଯେଉଁଥିରେ ଜିଲ୍ଲାର ସବୁ ଯାଦବ ସମ୍ପ୍ରଦାୟର ଲୋକେ ସାମିଲ ହୋଇଛନ୍ତି।
ତେବେ ଏଥିରେ ତାଙ୍କର ପାରମ୍ପାରିକ ବାଡି ଖେଳ, ଘୋଡା ନାଚ ଓ ଆଦିବାସୀ ନାଚର ବେଶ ଝଲକ ଦେଖିବାକୁ ମିଳିଛି। ଏନେଇ ଆଜି ସକାଳୁ ଏମାନେ ପ୍ରଥମେ ବଲାଙ୍ଗୀର ଇଷ୍ଟଦେବୀ ସମଲେଇଙ୍କ ପୂଜା ଅର୍ଚ୍ଚନା ପରେ ରାଧା ମାଧବଙ୍କ ପୂଜା କରିଥିଲେ। ସେହିପରି ରାଧାମାଧବଙ୍କ ଯୁଗଳ ମୂର୍ତ୍ତି ସହ ଏମାନେ ସାରା ସହର ପରିକ୍ରମା କରିଥିଲେ। ଯେଉଁଥିରେ ସାଧାରଣ ଲୋକେ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ଏହା ସହ ଲୋକ ଏମାନଙ୍କ ର ପାରମ୍ପାରିକ ରୀତି ନୀତି ଓ ସଂସ୍କୃତି କୁ ମଧ୍ୟ ଦେଖିବାର ସୁଯୋଗ ପାଇଥିଲେ। ଯେଉଁଥିରେ ବାଡି ଖେଳ ଓ ଆଦିବାସୀ କଲଙ୍ଗା ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ପାରମ୍ପାରିକ ଢୋଲ ବାଦ୍ୟରେ ବଲାଙ୍ଗୀରରେ ରାସ୍ତା ଦୁଲୁକିଛି।