ବଲାଙ୍ଗୀର:ପୁଣି ଜୋର ଧରିଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି । ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲା ଜିଲ୍ଲା ସଂଘର୍ଷ ସମିତିର ପ୍ରତିନିଧି ଦଳ । ବଲାଙ୍ଗୀରର କଣ୍ଟାବାଞ୍ଜିବାସୀ ଦୀର୍ଘ ଦିନ ହେବ ଜିଲ୍ଲା ମାନ୍ୟତା ଦାବି କରି ଆସୁଥିବା ବେଳେ ଜିଲ୍ଲା ସଂଘର୍ଷ ସମିତି ଦୀର୍ଘ ଦିନରୁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରି ଆସୁଛି । ଅନେକ ଥର କଣ୍ଟାବାଞ୍ଜି ବନ୍ଦ ଡାକରା ଦେଇ ମଧ୍ୟ ଦାବି ଜଣାଇ ଆସିଛି ଜିଲ୍ଲା ସଂଘର୍ଷ ସମିତି । କିନ୍ତୁ ଏଯାଏଁ ଦାବି ପୂରଣ ନେଇ କୌଣସି ପ୍ରତିଶ୍ରୁତି ମଧ୍ୟ ପାଇ ପାରି ନାହାନ୍ତି ।
ଗତକାଲି ଜିଲ୍ଲା ସଂଘର୍ଷ ସମିତିର ଏକ ପ୍ରତିନିଧି ଦଳ ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ସମିତିର ସଦସ୍ୟ କୈଳାଶ ଚନ୍ଦ୍ର ଅଗ୍ରୱାଲ, ଧୀରଜ୍ ଅଗ୍ରୱାଲ, ସାମ୍ବାଦିକ ମୋହନ ସୋନି ଓ କମଳ ସୋନି ଚାରି ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କୁ ସାକ୍ଷାତ କରି ଜିଲ୍ଲା ଦାବି ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ।
ସଂଘର୍ଷ ସମିତିର ସଦସ୍ୟ ଧୀରଜ ଅଗ୍ରୱାଲ କହିଛନ୍ତି ଯେ, ଆମେ ଦୀର୍ଘ ଦିନରୁ କଣ୍ଟାବାଞ୍ଜି ଜିଲ୍ଲା ଦାବି କରି ଆସୁଛୁ । ଆଜି ଜିଲ୍ଲା ସଂଘର୍ଷ ସମିତିର ଚାରି ଜଣିଆ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟପାଳଙ୍କୁ ଆମେ ଲିଖିତ ଦାବି ପତ୍ର ଦେଇଛୁ । ରାଜ୍ୟପାଳ ଏହା ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଖୁବଶୀଘ୍ର ରାଜ୍ୟପାଳ କଣ୍ଟାବାଞ୍ଜି ଗସ୍ତରେ ଆସିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିବାର କହିଛନ୍ତି ସଂଘର୍ଷ ସମିତିର ସଦସ୍ୟ ଧିରଜ ।