ଓଡିଶା

odisha

ETV Bharat / state

ଚିନ୍ତାରେ ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତ: ଜୁନ୍‌ରେ ହେବ କାର୍ଯ୍ୟକ୍ଷମ, ଏଯାଏଁ ପୂରଣ ହୋଇନି ଦାବି - ଲୋୟର ସୁକତେଲ

ସତ ହେବ ଅନେକ ଦିନର ସ୍ବପ୍ନ । ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଙ୍ଗୀର ବୃହତ ଜଳ ପ୍ରକଳ୍ପ 'ଲୋୟର ସୁକତେଲ' । ତେବେ ଏଥିରେ କିନ୍ତୁ ବୁଡି ଅଞ୍ଚଳବାସୀଙ୍କ ଭିଟାମାଟି ବୁଡିବ । ସେପଟେ ପ୍ରକଳ୍ପ ପାଇଁ ସେମାନେ ଭିଟାମାଟି ଛାଡିବାକୁ ଥିବା ବେଳେ ତାଙ୍କର ସମସ୍ୟା ଓ ଦାବିର ହେବ ତ ସମାଧାନ ? ଦେଖନ୍ତୁ ଏହି ରିପୋର୍ଟ

lower Suktel dam
lower Suktel dam

By

Published : May 4, 2023, 7:39 PM IST

ଚିନ୍ତାରେ ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତ: ଜୁନରେ ହେବ କାର୍ଯ୍ୟକ୍ଷମ, ଏଯାଏଁ ପୂରଣ ହୋଇନି ଦାବି

ବଲାଙ୍ଗୀର:ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ଏବେ ଖୁବଶୀଘ୍ର ସତ ହେବାକୁ ଯାଉଛି । ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଂଗୀରର ଜୀବନରେଖା କୁହାଯାଉଥିବା ବୃହତ ଜଳ ପ୍ରକଳ୍ପ ଲୋୟର ସୁକତେଲ ପ୍ରକଳ୍ପ। ଏଥର ବର୍ଷା ପାଣି ଏଠି ଜମିବ। ଏବଂ ଏଠିକାର 26 ଟି ଗ୍ରାମ ପାଣିରେ ବୁଡିବ। ଅର୍ଥାତ ପାଣିରେ ବୁଡିବ ବୁଡି ଅଂଚଳବାସୀଙ୍କ ଭିଟାମାଟି। ବିସ୍ଥାପିତ ହେଉଛନ୍ତି 26ଟି ଗ୍ରାମର ଲୋକେ । ତେବେ ପ୍ରକଳ୍ପ ପାଇଁ ଏମାନେ ତାଙ୍କର ଭଟାମାଟି ଛାଡିବେ। ସମୟ କହିଲେ ମାତ୍ର ଆଉ କିଛି ମାସ । ବର୍ଷା ଆସିଲେ ଏଥର ସବୁ ବୁଡିବ ବୋଲି ସ୍ପଷ୍ଟ କରିସାରିଛି ପ୍ରଶାସନ । ତେବେ ଏହି ପ୍ରକଳ୍ପ ପାଇଁ ନିଜ ଭିଟାମାଟି ଛାଡୁଥିବା ବିସ୍ଥାପିତଙ୍କ ସମସ୍ୟା କିନ୍ତୁ ଏଯାଏଁ ସମାଧାନ ହୋଇ ପାରି ନାହିଁ । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଏମାନଙ୍କ ସମସ୍ୟା ଦୂର ହେବ ? ହେବ କି ତାଙ୍କ ଦୁଃଖ ପ୍ରଶମିତ ?

୨୦୧୨ରୁ କାମ ଆରମ୍ଭ ହୋଇଥିଲା କାମ

ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ । ୧୯୯୬ରୁ ପ୍ରସ୍ତାବିତ ଏହି ପ୍ରକଳ୍ପ ଅନେକ ବାଦବିବାଦ ପରେ ଗତ ୨୦୧୨ ଏପ୍ରିଲ ମାସ ଆଠ ତାରିଖରେ କାମ ଆରମ୍ଭ ହୋଇଥିଲା । ହେଲେ ଏହାର ନିର୍ମାଣ କାମ ପାଇଁ ସବୁଠୁ ବଡ ସମସ୍ୟା ସାଜିଥିଲା ବିସ୍ଥାପିତଙ୍କ ଆନ୍ଦୋଳନ । ଉଚିତ ଥଇଥାନ ଦାବିରେ ବିସ୍ଥାପିତ ହେବାକୁ ଥିବା ୨୬ ଟି ଗ୍ରାମ ଆନ୍ଦୋଳନ କରୁଥିଲେ। କିଛି ଗ୍ରାମବାସୀ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ । କିଛି ଏହାକୁ ସମର୍ଥନ ଦେଉଥିଲେ ଏବଂ ଏହାରି ମଧ୍ୟରେ ସରକାର ଓ ପ୍ରକଳ୍ପ ସପକ୍ଷବାଦୀ ସଫଳ ହୋଇଥିଲେ । ତେବେ ପ୍ରକଳ୍ପ କାମ ଦୀର୍ଘ ବର୍ଷ ପରେ ପୁଣି ତ୍ଵରାନ୍ବିତ ହୋଇଥିଲା ଏବଂ ଚଳିତ ଜୁନ ମାସ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ । ତେବେ ଏହାଦ୍ୱାରା ୨୬ଟି ଗ୍ରାମ ବୁଡିବାକୁ ଥିବା ବେଳେ ଅନେକ ଗ୍ରାମକୁ ଏବେ ଉଚ୍ଛେଦ କରାଯାଇଛି ।

ଆହୁରି ହେବେ ବିସ୍ଥାପିତ

ସେହିପରି ଆଉ କିଛି ମାତ୍ର ଗ୍ରାମ ଏବେ ବିସ୍ଥାପିତ ହେବେ । ତେବେ ଏହି ପ୍ରକଳ୍ପ ଦ୍ୱାରା ବଲାଙ୍ଗୀରର ୨୦ ହଜାର ୮୧୬ ହେକ୍ଟର ଓ ସୋନପୁର ଜିଲ୍ଲାର ୨ ହଜାର ୬୮୪ ହେକ୍ଟର ଚାଷ ଜମିକୁ ପାଣି ଲାଗିବ । ସେହିପରି ଏହାର ୧୭୦ ଲକ୍ଷରୁ ଊର୍ଦ୍ଧ୍ବ ଲିଟର ପାଣି ବଲାଙ୍ଗୀରବାସୀଙ୍କ ଶୋଷ ମେଣ୍ଟାଇବ । ସେପଟେ ଏହି ପ୍ରକଳ୍ପର ଡ୍ୟାମ ୧ କିମି ୧୫୫ ମିଟର ହୋଇଥିବା ବେଳେ ଏହି ଡ୍ୟାମର ଉଚ୍ଚତା ୩୦ ମିଟର ଅଟେ । ସେହିପରି ଏଠି ୩ ଲକ୍ଷ ଦୁଇ ହଜାର ୨୮ ହେକ୍ଟର ମିଟର ପାଣି ରହିବ ଏବଂ ମୋଟ ୫ ହଜାର ୩୨୪ ହେକ୍ଟର ପର୍ଯ୍ୟନ୍ତ ପାଣି ଜମିବ । ଯାହା ଫଳରେ ଏ ଅଞ୍ଚଳର ୨୬ଟି ଗାଁ ପାଣିରେ ବୁଡିବ । ତେବେ ଏଥିରେ ୯ ହଜାରରୁ ଊର୍ଦ୍ଧ୍ବ ପରିବାର ପ୍ରଭାବିତ ହେବାକୁ ଥିବା ବେଳେ ମୋଟ ୪ହଜାରରୁ ଊର୍ଦ୍ଧ୍ବ ପରିବାର ସମ୍ପୂର୍ଣ୍ଣ ବିସ୍ଥାପିତ ହେବେ ।

ଏହା ବି ପଢନ୍ତୁ- ଦୁର୍ନୀତିର ଗନ୍ତାଘର ବଲାଙ୍ଗୀର ପୌରପାଳିକା: ନିରସିଂହ ମିଶ୍ର

ମିଳିନି କ୍ଷତିପୂରଣ
ତେବେ ବିସ୍ଥାପିତ ହେବାକୁ ଥିବା ଅନେକ ଗ୍ରାମବାସୀ ଆଜିବି କ୍ଷତିପୂରଣ ପାଇ ନାହାନ୍ତି । ଏପରିକି ଅନେକ ସ୍ଥାନରେ ପ୍ରଶାସନର ତ୍ରୁଟି ଯୋଗୁଁ କ୍ଷତିପୂରଣ ଲୋକେ ଏଯାଏଁ ପାଇପାରି ନାହାନ୍ତି । ସେପଟେ ପ୍ରଶାସନ ମଧ୍ୟ ଅନେକ ଗ୍ରାମକୁ ଏହି କାରଣରୁ ବିସ୍ଥାପିତ କରି ପାରିନାହିଁ । ଏଭଳି ଡ୍ୟାମ୍‌ ମଧ୍ୟରେ ଆସୁଥିବା ଗଡ଼ଶଙ୍କର ଡୁଙ୍ଗରିପାଲି ଗ୍ରାମ ମଧ୍ୟ ଅନ୍ୟତମ । ତେବେ ଏଠି ଘର ପରିବାର ଚିହ୍ନଟ ସରିଛି । ହେଲେ ସେଥିରେ ମଧ୍ୟ ତ୍ରୁଟି ଥିବାର ଲୋକେ ଅଭିଯୋଗ ଆଣିଛନ୍ତି । ଯେଉଁଥିରେ ସମାନ ଘର ଥିବା କିମ୍ବା ଗୋଟିଏ ଯୌଥ ପରିବାରକୁ ସମାନ କ୍ଷତିପୂରଣ ମିଳିନଥିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେହିପରି ୧୮ ବର୍ଷରୁ ଅଧିକ ହେଲେ ଜଣେ ମୁଣ୍ଡ ପିଛା କ୍ଷତିପୂରଣ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଏଠି ଅନେକ କ୍ଷତିପୂରଣ ଏଯାଏଁ ପାଇନାହାନ୍ତି ।

କଣ ହେବ ପିଲାଙ୍କ ଭବିଷ୍ୟତ ?

ଏହାଛଡା ବିସ୍ଥାପିତ ହେବାକୁ ଥିବା କିମ୍ବା ବିସ୍ଥାପିତ ହୋଇସାରିଥିବା ଲୋକଙ୍କ ପିଲାଛୁଆ କେଉଁ ସ୍କୁଲ କଲେଜରେ ପାଠ ପଢିବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପଞ୍ଚାୟତ ଅଙ୍ଗନବାଡି ଯେଉଁଠି ହିତାଧିକାରୀ ବିଭିନ୍ନ ଯୋଜନାରେ ସାମିଲ ହୋଇ ଭତ୍ତା ଚାଉଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପାଇଥାନ୍ତି ଏବେ ସେମାନେ କେଉଁଠୁ ତାହା ପାଇବେ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଏପଟେ ବର୍ଷା ଆସିବ ଓ ତାଙ୍କ ଗାଁ ବୁଡିବ ତେବେ ସେମାନେ ଏଯାଏଁ ଅନ୍ୟ ସ୍ଥାନରେ ଘର ମଧ୍ୟ କରିପାରିନାହାନ୍ତି । ଏଭଳି ସମୟରେ ସେମାନେ କେଉଁଠିକୁ ଯିବେ କିଏ ତାଙ୍କ ସାହା ହେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଯେପର୍ଯ୍ୟନ୍ତ ତାଙ୍କ ସମସ୍ୟା ସମାଧାନ ନ ହୋଇଛି ଡ୍ୟାମରେ ପାଣି ବାନ୍ଧି ରଖିବାକୁ ସେମାନେ ବିରୋଧ କରିଛନ୍ତି ।

ମିଳିଲା ନରସିଂହଙ୍କ ପ୍ରତିଶୃତି
ସେପଟେ ନେତା ପ୍ରଶାସନ ଲୋକଙ୍କ ପାଖକୁ ଯାଇ ତାଙ୍କ ସମସ୍ୟା ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଯେଉଁଥିରେ ନିଜେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସମ୍ପୃକ୍ତ ଗାଁ ସବୁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, "ଯେତେବେଳେ ଗୋଟେ ଅଞ୍ଚଳ ବିସ୍ଥାପିତ ହୁଏ, ସେଠାରେ ଅନେକ ସମସ୍ୟା ଉପୁଜେ । ତାକୁ ଧୈର୍ଯ୍ୟର ସହକାରେ ଶୁଣିବାକୁ ହେବ । ଯାହା ଅସୁବିଧା ହୋଇଛି ତାହାର ସମାଧାନ କରିବାକୁ ହେବ । ଆଇନ ପରିସର ମଧ୍ୟରେ ରହିଛି ସମସ୍ତ ସମସ୍ୟାର ସମାଧାନ କରିବାକୁ ପଡ଼ିବ । କିପରି ବିସ୍ଥାପିତ ପରିବାର ଖୁସିର ସହ ଭିଟାମାଟି ଛାଡିକି ଯିବେ, ସରକାର ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ଏସମସ୍ତ କଥା ଜାଣିବା ଲାଗି ଆଜି ମୁଁ ଏଠାକୁ ଆସିଥିଲି । କେତେ ଦୂରୁ ଲୋକଙ୍କ ସମସ୍ୟା ସମାଧାନ ହୋଇଛି ତାହା ଉପରେ ଜିଲ୍ଲାପାଳଙ୍କ ସହ ବୈଠକ କରି ଆଲୋଚନା କରିବି । "

ଶୁଣିବ ତ ପ୍ରଶାସନ ?

ଲୋକଙ୍କ ସବୁ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି । ସେହିପରି ବିସ୍ଥାପିତ ଲୋକଙ୍କ ପାଇଁ ସବୁ ସୁବିଧା କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସମାନ ଭାବରେ ପ୍ରଶାସନ ମଧ୍ୟ ଏହାର ସମାଧାନ ହେବ ଲୋକଙ୍କୁ କ୍ଷତିପୂରଣ ସଠିକ ସମୟରେ ଦିଆ ହେବ ଓ ସ୍କୁଲ କଲେଜ ତଥା ପଞ୍ଚାୟତ ଭଳି ସମସ୍ୟା ମଧ୍ୟ ସମାଧାନ ହେବ ବୋଲି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର କହିଛନ୍ତି । ତେବେ ମାତ୍ର ଆଉ ୨ ମାସରେ ବର୍ଷା ପାଣି ମାଡ଼ି ଆସିବ । ଲୋୟର ସୁକତେଲ ଡ୍ୟାମରେ ପାଣି ଭରିଯିବ । ଲୋକେ କ୍ଷତିପୂରଣ ପାଇଥାନ୍ତୁ ବା ନ ପାଇଥାନ୍ତୁ ସେମାନଙ୍କ ଭିଟାମାଟି ଜଳମଗ୍ନ ହେବ । ସେମାନେ ବିସ୍ଥାପିତ ହେବେ ନିଶ୍ଚୟ । ହେଲେ ତାଙ୍କର ଏହି ଦୁଃଖ ଆଗକୁ ପ୍ରଶମିତ ହୋଇପାରିବ ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details