ବଲାଙ୍ଗୀର:ଜିଲ୍ଲାରେ ଏକ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ 3 ଜଣଙ୍କ ଜୀବନ ଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଞ୍ଚାୟତ ମମିଆଁ ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ 3 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଝାଡ଼ାବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବାବେଳେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିଛି । ଲୋକଙ୍କୁ ସଚେତନ କରିବା ସହ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତ କିଛି ଦିନ ମଧ୍ୟରେ ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଲମ୍ବର ହିଆଁଲ, ସୋନିଆ ସେଲମା, କୈକେୟା ବେହେରା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗ୍ରାମର ୧୦ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକାନ୍ତ ହୋଇ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଏଭଳି ସମସ୍ୟା ହୋଇଛି ତାହା ଜଣାପଡିନାହିଁ ।
ସେପଟେ ପାଣି ପାଇଁ ଏହିଭଳି ହୋଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଏହି ଗାଁ ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା ସୀମାରେ ଥିବାବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ଦୀର୍ଘ କିଛି ଦିନ ହେବ ଏହି ଗ୍ରାମରେ ଝାଡ଼ାବାନ୍ତି ରୋଗ ବ୍ୟାପିଥିଲା । ଏଥିରେ ଅନେକ ଆକ୍ରାନ୍ତ ହୋଇଥିବାବେଳେ 3 ଜଣଙ୍କର ଏଯାବତ୍ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ବିଶେଷ କରି ରୋଗୀଙ୍କ ମଧ୍ୟରେ ଶିଶୁମାନଙ୍କ ସଂଖ୍ୟା ଅଧିକ ରହିଛି । ଏହି ଅଭିଯୋଗ ଆସିବା ପରେ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡାର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସଂପୃକ୍ତ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ।
ସେହିପରି ରୋଗୀଙ୍କ ପରୀକ୍ଷା କରାଯିବା ସହ ରୋଗର କାରଣ ମଧ୍ୟ ଖୋଜା ଚାଲିଛି । ଏହାସହ ଲୋକଙ୍କୁ ଏହି ଟିମ୍ ସଚେତନ ମଧ୍ୟ କରିଛନ୍ତି । ତେବେ ଗାଆଁରେ ପିଇବା ପାଣି ଯୋଗୁଁ ହିଁ ଏହି ରୋଗ ବ୍ୟାପିଥିବାର ସନ୍ଦେହ କରାଯାଉଛି । ସେହିପରି ଗାଁ ଗଣ୍ଡା ଓ ଘରକୁ ସଫା ସୁତୁରା ରଖିବା ସହ ପାଣି ଫୁଟାଇ ଛାଣି ପିଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତରୀ ଟିମ୍ । ସେହିପରି ଗୁରୁତର ଆକ୍ରାନ୍ତ ଥିବା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ କଣ୍ଟାବାଞ୍ଜି ଗରିବ ସେନା ସଂଗଠନର ସଭାପତି ମୁକେଶ ତାଣ୍ଡି କହିଛନ୍ତି, "ଦୀର୍ଘ କିଛି ଦିନ ହେବ ଏହି ମମିଆ ଗାଆଁରେ ଏହି ରୋଗ ବ୍ୟାପିଛି। ଏଥିରେ 3 ଜଣଙ୍କ ଜୀବନ ମଧ୍ୟ ଯାଇଛି ।"