ବଲାଙ୍ଗୀର:ବିଦାୟ ନେଇଛି ୨୦୨୩ ବର୍ଷ ଏବଂ ସମସ୍ତେ ନୂଆ ବର୍ଷ ୨୦୨୪କୁ ସାରା ଦେଶବାସୀ ଉତ୍ସାହର ସହ ସ୍ବାଗତ କରିଛନ୍ତି । ଏହି ବିଶେଷ ଅବସରରେ ବଲାଙ୍ଗୀର ବାସୀ ମଧ୍ୟ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ଏବଂ ଧୁମଧାମରେ ସେଲିବ୍ରେଟ କରିଛନ୍ତି । ଏଥିସହ ବର୍ଷର ପ୍ରଥମ ଦିନରେ ପରିବାରର ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ପାଇଁ ଇଷ୍ଟ ଦେବା ଦେବୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ବିଭିନ୍ନ ସ୍ଥାନରେ ଯୁବ ବର୍ଗ ନାଚ ଗୀତ ଓ ଭୋଜି ଭାତ ଆସର ସହ ଗତକାଲି ଜିରୋ ନାଇଟ ପାଳନ କରି ୨୦୨୩କୁ ବିଦାୟ ଦେଇଛନ୍ତି ଲୋକେ । ସେପଟେ ନୂଆ ବର୍ଷକୁ ସ୍ବାଗତ କରି ପରସ୍ପରକୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏଥିସହ ଆଜି ୨୦୨୪ର ପ୍ରଥମ ଦିନରେ ଲୋକେ ବର୍ଷ ତମାମ ତାଙ୍କ ଜୀବନରେ ସୁଖ ସମୃଦ୍ଧି ପାଇଁ ଇଷ୍ଟ ଦେବା ଦେବୀଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ଯେଉଁଥିରେ ବଲାଙ୍ଗୀରର ସବୁ ମନ୍ଦିରରେ ସକାଳୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏଥିରେ ବଲାଙ୍ଗୀର ଇଷ୍ଟଦେବୀ ମା' ସମଲେଇ ଓ ମା' ପଟନେଶ୍ବରୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ମନ୍ଦିର କର୍ତ୍ତୃପକ୍ଷ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଥିଲା । ଭକ୍ତ ମଧ୍ୟ ମା' ସମଲେଇ ଓ ମା' ପଟନେଶ୍ବରୀଙ୍କ ଦର୍ଶନ କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।