ବଲାଙ୍ଗୀର: ବଲାଙ୍ଗୀର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରକୁ ଘୋର ଅବହେଳା ଅଭିଯୋଗ । ମନ୍ଦିର ସମ୍ମୁଖରେ କଳା ଫିତା ପିନ୍ଧି ଧାରଣାରେ ବସିଲେ ଭକ୍ତ । ବଲାଙ୍ଗୀର ରାଜାଙ୍କ ଅମଳରୁ ପାଟଣେଶ୍ୱରୀ ଏଠିକାର ଅଧିଷ୍ଠାତ୍ରୀ ଦେବୀ । ରାଜାରୁ ପ୍ରଜା ସମସ୍ତେ ତାଙ୍କ ଭକ୍ତ । କୌଣସି ନୂଆ କାମ ତାଙ୍କ ଆଶୀର୍ବାଦ ବିନା ହୋଇନଥାଏ । କିନ୍ତୁ ମାଆ ପାଟଣେଶ୍ୱରୀ ଆଜି ଅବହେଳିତ । ମାଆଙ୍କ ମନ୍ଦିର ଏବେ ଜରଜୀର୍ଣ୍ଣ ଅବସ୍ଥାରେ ଅଛି । ଉପରୁ ପାଣି ଚାଲୁଥିବା ବେଲେ ମନ୍ଦିର ଭିତରକୁ ନାଳନର୍ଦ୍ଦମା ପାଣି ପଶୁଛି । ତେବେ ଗତ ଦୁଇ ଦିନ ତଳେ ବଡ ବର୍ଷାରେ ଏହି ମନ୍ଦିର ଭିତରକୁ ଆଣ୍ଠୁଏ ପାଣି ପଶିଥିବା ବେଳେ ମା’ ପାଟଣେଶ୍ୱରୀ ମଧ୍ୟ ପାଣିରେ ବୁଡି ଯାଇଥିଲେ । ଯାହାକୁ ନେଇ ସବୁଠି ଚର୍ଚ୍ଚା ହୋଇଥିବା ବେଳେ ସିଧା ସଳଖ ଦେବୋତ୍ତର ବିଭାଗ ଓ ପ୍ରଶାସନକୁ ଏଥିପାଇଁ ଲୋକେ ଦାୟୀ କରିଥିଲେ ।
ସେହିପରି ଏହି ସମସ୍ୟା ଦୀର୍ଘ ବର୍ଷରୁ ଲାଗି ରହିଥିବା ବେଳେ ଲୋକେ ମନ୍ଦିର ମରାମତି ଓ ପୁନରୁଦ୍ଧାର ଦାବି କରି ଆସୁଛନ୍ତି । ହେଲେ ଏଯାଏଁ ସରକାର ତାକୁ କର୍ଣ୍ଣପାତ କରି ନାହାନ୍ତି । ଏହାକୁ ନେଇ ବିଭିନ୍ନ ସଂଗଠନ ଓ ଭକ୍ତ ମିଶି ମନ୍ଦିର ସମ୍ମୁଖରେ ଧାରଣା ଦେଇଥିଲେ। ଏବଂ ଶୀଘ୍ର ମନ୍ଦିରର ମରାମତି ସାଙ୍ଗକୁ ଲାଗି ରହିଥିବା ସବୁ ସମସ୍ୟା ଦୂର କରିବା ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଥିଲେ ।