ବଲାଙ୍ଗୀର:ବାତ୍ୟା ଜୱାଦ ପ୍ରଭାବରେ ଗତ ରାତିରୁ ବର୍ଷା ଲାଗି ରହିଛି । ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି । ଅମଳ ପୂର୍ବରୁ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ଧାନ ଫସଲ ବହୁଳ ଭାବରେ ନଷ୍ଟ ହୋଇଛି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ।
ବଲାଙ୍ଗୀରରେ ବାତ୍ୟା ଜୱାଦ ପ୍ରଭାବ ଯୋଗୁଁ ଗତ ବିଳମ୍ବିତ ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି। ତେବେ ପାଣିପାଗ ବିଭାଗର ଅନୁମାନ କ୍ରମେ ବଲାଙ୍ଗୀର ଜିଲ୍ଲାରେ ଜୱାଦ ବିଶେଷ ପ୍ରଭାବ ପଡି ନ ଥିଲା । ହେଲେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗତ ଦୁଇ ଦିନ ହେଲା ପାଗ କୋହଲା ଥିବା ବେଳେ ଗତ ରାତିରୁ ବର୍ଷା ହେଉଛି। ସେପଟେ କ୍ଷେତରେ ଧାନ ଅମଳ ହେବାର ସ୍ଥିତିରେ ଥିବା ବେଳେ ବର୍ଷା ସବୁ ଧାନ ଫସଲ ନଷ୍ଟ କରିଛି। ସବୁ ଧାନ କ୍ଷେତରେ ପାଣି ଲହଡ଼ି ମାରୁଥିବା ବେଳେ ଧାନ ସମ୍ପୂର୍ଣ୍ଣ ଭାବରେ ପାଣିରେ ଓଦା ହୋଇ ନଷ୍ଟ ହୋଇ ଯାଇଛି । ତେବେ ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ତିନି ଲକ୍ଷ ହେକ୍ଟର ଧାନ ଚାଷ ହୋଇଥିବା ବେଳେ କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ଗଜା ମରୁଡି ହୋଇ ଫସଲ ନଷ୍ଟ ହୋଇଥଲା।