ବଲାଙ୍ଗୀର: ରାଜ୍ୟରେ ବଢି ଚାଲିଛି ସାଇବର ଅପରାଧ । ନୂଆ ନୂଆ ପନ୍ଥା ଆପଣାଇ ଚୁଟକିରେ ଆକାଉଣ୍ଟ ଖାଲି କରିଦେଉଛନ୍ତି ସାଇବର ଅପରାଧି । ଆଉ ଆଖି ପିଛୁଳାକେ ନେଇଯାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏନେଇ ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ ବାରମ୍ବାର ସାଇବର ଅପରାଧ ଜାଲରେ ଛନ୍ଦି ହୋଇପଡୁଛନ୍ତି ଲୋକେ । ତେବେ ବଲାଙ୍ଗୀରରେ ସାଇବର ଅପରାଧ ମାମଲା ବଢିଚାଲିଥିବା ବେଳେ ଏଥିରେ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ତେବେ ସଚେତନତା ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ଲୋକଙ୍କୁ ସାଇବର ଅପରାଧରୁ ରୋକିବା ପାଇଁ ବଲାଙ୍ଗୀର ପୋଲିସ ଏକ ଦକ୍ଷ ପୋଲିସ ଟିମ ପ୍ରସ୍ତୁତ କରିଛି । ଯେଉଁ ମାନେ ଏହି ଅପରାଧକୁ ନେଇ ଆସୁଥିବା ଅଭିଯୋଗର ତଦନ୍ତ କରିବା ସହ ଦୋଷୀକୁ ଧରିବା ପାଇଁ ତଦନ୍ତ ଜାରି ରଖିଛନ୍ତି । ଚଳିତ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ 65 ଟି ସାଇବର ଅପରାଧ ଅଭିଯୋଗ ସାମ୍ନାକୁ ଆସିଛି ।
ସାଇବାର ଅପରାଧ ରୋକିବାକୁ ରୋକିବା ପାଇଁ ବଲାଙ୍ଗୀର ପୋଲିସ ବ୍ୟାପକ ସଚେତନ କାର୍ଯ୍ୟକ୍ରମ ହାତକୁ ନେଇଛି। ଯେଉଁଥିରେ ଜିଲ୍ଲାରେ ସମସ୍ତ 18 ଟି ଥାନାରେଲୋକଙ୍କୁ ବିଶେଷ ସଚେତନ କରିବା ପାଇଁ ସଚେତନ ରଥ ଶୁଭାରମ୍ଭ ହୋଇଛି । ଜିଲ୍ଲାର ଏସବିଆଇ ବ୍ୟାଙ୍କ ଏଥି ପାଇଁ ସବୁ ସାହାଯ୍ୟ ପୋଲିସକୁ ଯୋଗାଇ ଦେଇଛି । ତେବେ କୌଣସି ବ୍ୟାଙ୍କ କିମ୍ବା ସଂସ୍ଥା ଫୋନ ଯୋଗେ କୌଣସି ବ୍ୟକ୍ତିର ଗୋପନୀୟ ତଥ୍ୟ ମାଗି ନ ଥାଏ । ତେଣୁ କେହି ଏଭଳି ତଥ୍ୟ ମାଗିଲେ ତାକୁ ନିଜର ଏଟିଏମ ନମ୍ବର, ପିନ ନମ୍ବର , ଓଟିପି ସହିତ ନିଜ ବ୍ୟକ୍ତିଗତ ତଥ୍ୟ ଦେବାକୁ ମନା କରିଛନ୍ତି ଏସବିଆଇ ବ୍ୟାଙ୍କ ରିଜୋନାଲ ମ୍ୟାନେଜର । ଏଥିସହ କୌଣସି ଠକାମୀର ଶିକାର ହେଲେ ତୁରନ୍ତ 1930 କୁ ଫୋନ କଲେ ତାହାର ସମାଧନ ହୋଇ ପାରିବ ବୋଲି ବ୍ୟାଙ୍କ ରିଜୋନାଲ ମ୍ୟାନେଜର କହିଛନ୍ତି ।