ବଲାଙ୍ଗୀର: ଜାଲ ସାର୍ଟିଫିକେଟର ଅଧିକ ତନାଘନା ପାଇଁ ବଲାଙ୍ଗୀରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ । ଶନିବାର ଜିଲ୍ଲାରେ ପହଞ୍ଚି ପୋଲିସ ସହ ଆଲୋଚନା ପରେ ଏହି ମାମଲାରେ ଜଡିତ ସବୁ ସ୍ଥାନ ବୁଲି ଦେଖିଛି ତଦନ୍ତକାରୀ ଟିମ । କ୍ରାଇମବ୍ରାଞ୍ଚର ଡିଏସପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ଜାଲ ସାର୍ଟିଫିକେଟର ଚେର କେଉଁ ଆଡେ ଲମ୍ବିଛି ସେନେଇ ତନାଘନା ଆରମ୍ଭ କରିଛି ।
ଗତକାଲି କ୍ରାଇମବ୍ରାଞ୍ଚ ଟିମ ଜିଲ୍ଲାରେ ପହଞ୍ଚିବା ପରେ ଏସପି ନିତିନ କୁସଲକରଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଆଜି ଏମାନେ ପ୍ରଥମେ ବଲାଙ୍ଗୀର ଟାଉନ ଥାନା ଯାଇଥିଲେ । ଯେଉଁଠି ଏହି ମାମଲାର ତଦନ୍ତ କରୁଥିବା ସବୁ ପୋଲିସ ଅଧିକାରୀଙ୍କ ସହ ଏମାନେ ବିସ୍ତୃତ ଆଲୋଚନା କରିଥିଲେ । ପୋଲିସ ସହାୟତାରେ ଏହି ମାମଲାରେ ଜଡିତ ଥିବା ସବୁ ସ୍ଥାନକୁ ଯାଇବୁଲି ଦେଖିଛନ୍ତି ପାଞ୍ଚ ଜଣିଆ ଟିମ । ପ୍ରଥମେ ଏମାନେ ମୁଖ୍ୟ ଅଭିଯୁକ୍ତର ରିଲାଏନ୍ସ କୋଚିଂ ସେଣ୍ଟରକୁ ଯାଇ ସରଜମିନ ତଦନ୍ତ କରିଥିଲେ । ସେହିପରି ଏମାନେ ଜିଲ୍ଲା ଡାକ ବିଭାକୁ ଯାଇ ସେଠି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ତେବେ କ୍ରାଇମବ୍ରାଞ୍ଚ ଏଯାଏଁ ପୋଲିସ ଠାରୁ ଏହି ମାମଲାର ଦାୟିତ୍ଵ ନେଇ ନଥିବା ବେଳେ ଏହାର ପ୍ରକ୍ରିୟା ଚାଲିଥିବା ଭିଜିଲାନ୍ସ ସୂଚନା ଦେଇଛି । ସେହିପରି ଜାଲ ସାର୍ଟିଫିକେଟ ମାମଲାରେ ପୋଲିସ ଜବତ କରିଥିବା ସବୁ ପ୍ରମାଣ ତଥ୍ୟକୁ ମଧ୍ୟ ସେ ନିଜ ଜିମାରେ ନେଇ ଥିବାର କହିଛି । ତେବେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ଡ଼ିଏସପି ଦେବବ୍ରତ ଚକ୍ର ସୂଚନା ଅନୁସାରେ ସେମାନେ ଏହି ମାମଲାକୁ ପୋଲିସ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି । ପୋଲିସ ପାଖରେ ଥିବା ସବୁ ତଥ୍ୟ ପ୍ରମାଣ ସେମାନେ ନିଜ ଜିମାକୁ ନେଇଥିବାର ସେ କହିଛନ୍ତି ।