ବଲାଙ୍ଗୀର: କୋରୋନା କବଳରେ ଏବେ ସାରା ବଲାଙ୍ଗୀର ଜିଲ୍ଲା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଘାତକ କୋରୋନା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହାର ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ପ୍ରଶାସନିକ ଅଧିକାରୀ । କୋରୋନା ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ମଧ୍ୟ ବଣ୍ଟନ କରୁଛନ୍ତି ।
ବଲାଙ୍ଗୀର ଷ୍ଟୁଡିଓରେ ରେକର୍ଡିଂ ଚାଲିଛି ଗୀତ । କୋରୋନା ଟୀକାଦାନ ନେଇ ସଚେତନତାଧର୍ମୀ ସଙ୍ଗୀତ। ହେଲେ ଗୀତ ଗାଉଥିବା ବ୍ୟକ୍ତି ଜଣକ କୌଣସି ପେଶାଦାର ସଙ୍ଗୀତକାର ନୁହଁନ୍ତି । ସିଏ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକର ବିଡିଓ ନୀଳମାଧବ ସୁନା । ଗୀତ ଗାଇ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ମାସ୍କ ମଧ୍ୟ ବଣ୍ଟନ କରୁଛନ୍ତି । ଏପରିକି ତାଙ୍କ ଗୀତକୁ ମାଇକ ଯୋଗେ ଗାଡ଼ିରେ ବୁଲି ବୁଲି ଗାଁ ଗାଁ ଯାଇ ସଚେତନ କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ଖୋଦ ବିଡିଓ ମଧ୍ୟ ବ୍ଲକର ବିଭିନ୍ନ ଗାଁକୁ ଯାଇ କୋରୋନା ଗୀତ ଗାଇ ଲୋକଙ୍କୁ ବୁଝାଉଛନ୍ତି । କୋରୋନା ଟୀକାକୁ ଭୟ ନ କରି ସମସ୍ତେ ଭ୍ୟାକସିନ ନେବାକୁ ନିବେଦନ କରୁଛନ୍ତି ।