ବଲାଙ୍ଗୀର: ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ କରାଯାଇଛି ହତ୍ୟା । ହତ୍ୟା ପରେ ଉଭୟଙ୍କ ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିଲା । ସୋମବାର ପୋଲିସ ଏହି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଲରମ୍ଭା ଚିଟିକାମାଲ୍ଠାରେ ଦେଖିବାକୁ ମିଳିଛି ଏପରି ନିର୍ମମ ହତ୍ୟା । କିଛିଦିନ ପୂର୍ବରୁ ଏହି ଗାଁର ନାରାୟଣ ବରିହାଙ୍କ ଦେଢବର୍ଷ ପୁଅର ଜ୍ବରରେ ମୃତ୍ୟୁ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଜମିରେ ପୋତି ଦେଇଥିଲେ । କିଛିଦିନ ପରେ ସେଠାରେ କେହି ପୂଜାର୍ଚ୍ଚନା କରୁଥିବାର ଗ୍ରାମବାସୀ ସନ୍ଦେହ କରିଥିଲେ । ତେବେ ଏସବୁ କାର୍ଯ୍ୟ ସେହି ଗାଁର ବୃଦ୍ଧା ଦମ୍ପତ୍ତି ଚିନ୍ତାମଣି ବରିହା ଓ ତାଙ୍କ ସ୍ତ୍ରୀ ରୁକ୍ମଣୀ ବରିହା କରୁଥିବାର ସନ୍ଦେହ କରିଥିଲେ ଗାଁ ଲୋକେ । ପରେ ଡାହାଣୀ ସନ୍ଦେହରେ ରବିବାର ରାତିରେ ତାଙ୍କୁ ଗାଁ ନିକଟ ସ୍କୁଲ ପାଖରେ ହତ୍ୟା କରିବା ପରେ ପାଖ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।