ବଲାଙ୍ଗୀର: ଆରଆଇ, ଅମିନ ଭଳି ପଦବୀରେ ନିଯୁକ୍ତି ପାଇଁ ହେଉଥିବା ବଡ ବଡ ଦୁର୍ନୀତି ପରେ ଏବେ ଜିଆରଏସ ବା ଗ୍ରାମ୍ୟ ରୋଜଗାର ସେବକଙ୍କ ପଦୋନ୍ନତିରେ ଦୁର୍ନୀତି ଅଭିଯୋଗ ହୋଇଛି । ଏଥିରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବାର ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଏନେଇ ସ୍ପଷ୍ଟ ହୋଇଛି ।
ବଲାଙ୍ଗୀର ଜିଲ୍ଲାରେ 13 ଜଣ ଅଯୋଗ୍ୟ ପ୍ରାର୍ଥୀଙ୍କ କାଗଜପତ୍ର ରାତାରାତି ବଦଳାଇ ଓ ଚଞ୍ଚକତା କରି ସେମାନଙ୍କ ପଦୋନ୍ନତି ହୋଇଥିବାର ଅଭିଯୋଗ ହୋଇଛି । ଯାହାଫଳରେ ଯୋଗ୍ୟ ପ୍ରାର୍ଥୀ ଏଯାଏଁ ପଦୋନ୍ନତିରୁ ବଞ୍ଚିତ ଥିବା ବେଳେ ମାମଲା କୋର୍ଟରେ ପହଞ୍ଚିଛି । ଏହି ମାମଲାର ଓଡିଶା ହାଇକୋର୍ଟ ଶୁଣାଣି କରି ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାରେ ପ୍ରଥମ କରି 2006 ମସିହାରେ ଜିଆରଏସ ନିଯୁକ୍ତି ହୋଇଥିଲା । ସେହି ସମୟରେ ସରକାର ସର୍ତ୍ତ ରଖିଥିଲେ ଏମାନେ 2000 ଟଙ୍କାରେ କାମ କରିବେ ଓ ବିଭିନ୍ନ ଯୋଜନାରେ ସହାୟକ ହେବେ । ତେବେ 2013 ମସିହାରେ ଏମାନଙ୍କ ପଦୋନ୍ନତି ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଜିଲ୍ଲା ସ୍ଥରରେ ଗ୍ରେଡସନ ଲିଷ୍ଟ ମାଗିଥିଲେ। ତେବେ ଏହି ଲିଷ୍ଟ ପ୍ରସ୍ତୁତ କରିବାରେ ଏଠି ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ 13 ଜଣ ଅଯୋଗ୍ୟ ପ୍ରାର୍ଥୀଙ୍କ ଲିଷ୍ଟ ତିଆରି କରାଯାଇ ସେମାନଙ୍କର ପଦୋନ୍ନତି କରାଯାଇଛି । ଫଳରେ ଯୋଗ୍ୟ ଜିଆରଏସ ଏଥିରୁ ବଞ୍ଚିତ ରହିଛନ୍ତି ।