ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଅପହରଣ ମାମଲା ବଲାଙ୍ଗୀର:ନାବାଳିକାକୁ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ ବଲାଙ୍ଗୀର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 20 ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତା ସହ 70 ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ । ସେହିପରି ପିଡିତାଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତି ପୁରଣ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ତେବେ ବଲାଙ୍ଗୀର ସିନ୍ଧେକେଲା ଥାନା ଅଞ୍ଚଳରେ ଗତ 2016 ମସିହାରେ ଜଣେ ନାବାଳିକାଙ୍କୁ ତାଙ୍କ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାପରେ ପୋଲିସ ଏହାର ତଦନ୍ତ କରିଥିଲା । ତେବେ ପୋଲିସ ତଦନ୍ତ କରୁଥିବା ବେଳେ ନାବାଳିକାଙ୍କୁ ଦୁଇ ଦିନ ପରେ ଅପହରଣକାରୀ ଘରେ ଛାଡ଼ି ଦେଇଥିଲେ । ଯାହା ପରେ ନାବାଳିକାର ବୟାନକୁ ପୋଲିସ ରେକର୍ଡ କରିଥିଲା । ଯେଉଁଥିରେ ଅପହରଣକାରୀ ନାବାଳିକାକୁ ଦୁଇ ଦିନ ଏକ ଜଙ୍ଗଲ ମଧ୍ୟରେ ରଖି ଗଣ ଦୁଷ୍କର୍ମ କରିଥିବା ଜଣା ପଡ଼ିଥିଲା । ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ପ୍ରମୋଦ ବରିହା ଓ ଅଭିଳାଷ ବରିହାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଅନ୍ୟପଟେ ଏହି ଦୁଇ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଆଜି କେସ୍ ନମ୍ବର ଜି.ଆର 17/2016ରେ ବଲାଙ୍ଗୀର ପକ୍ସୋ କୋର୍ଟରେ ବିଚାରଧୀନ ଥିଲା। ଆଜି ସ୍ୱତନ୍ତ୍ର ପୋସ୍କୋ କୋର୍ଟ ତଥା ଜିଲ୍ଲା ଏଡି ଜେ ସ୍ୱତନ୍ତ୍ର ଗୋପବନ୍ଧୁ ଗଡନାୟକ ଏହାର ଚୂଡାନ୍ତ ରାୟ ଶୁଣାଇବା ସହ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଏହି ମାମଲାକୁ ପରିଚାଳନା କରୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ନିତ୍ୟାନନ୍ଦ ବରାଇ ଏହାକୁ ନେଇ ସବିଶେଷ ସୂଚନା ଦେଇଛନ୍ତି ।
ଯେଉଁଥିରେ ଦୁଇ ଜଣ ଅଭିଯୁକ୍ତ କୁକୁଡ଼ା କିଣିବା ବାହାନାରେ ନାବାଳିକାର ଘରକୁ ଆସିଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଜୋର ଜବରଦସ୍ତ ସେଠୁ ଅପହରଣ କରିଥିଲେ । ଦୁଇ ଦିନ ଧରି ଏକ ଜଙ୍ଗଲରେ ରଖି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏଥିସହ ସିନ୍ଧେକେଲା ଥାନାରେ ଏହାର ଅଭିଯୋଗ ହେବା ପରେ ପୋଲିସ 2016ରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିଲେ । ସେହିପରି ଏବେ ବଲାଙ୍ଗୀରରେ ଏଡିଜେ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ଏହାର ଚୂଡାନ୍ତ ରାୟ ଶୁଣାଇଛନ୍ତି । 2 ଜଣ ଅଭିଯୁକ୍ତଙ୍କୁ 20 ବର୍ଷ ଜେଲ ଦଣ୍ଡ ସହ 70 ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ସେହିପରି ପିଡିତାଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ , ବଲାଙ୍ଗୀର