ବାଲାଙ୍ଗୀର:ସହରର ଇଚ୍ଛାପଡାରେ ଆରମ୍ଭ ହେବ ବସ୍ତି ଉଚ୍ଛେଦ । ବିକାଶ ନାଁରେ ପୁଣି ବସ୍ତି ଉଚ୍ଛେଦ ପାଇଁ ଜାରି ହୋଇଛି ନୋଟିସ । ଯାହାକୁ ବିରୋଧ କରି ପୌର ପରିଷଦ କାଉନସିଲ ଓ ଜିଲ୍ଲା ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ଇଚ୍ଛାପଡାରେ ପ୍ରାୟ 200ରୁ ଊର୍ଦ୍ଧ୍ବ ପରିବାର ଦୀର୍ଘ ବର୍ଷରୁ ରହି ଆସୁଥିବା ବେଳେ ନିକଟରେ ଥିବା ମହାରାଣୀ ସାଗରର ଉନ୍ନତି କରଣ ପାଇଁ ଉଚ୍ଛେଦ କରାଯିବା ନେଇ ପୌର ପରିଷଦ ଇଓ ନିଷ୍ପତ୍ତି ନେଇଛନ୍ତି । ଏନେଇ ପୌର ପରିଷଦ ଇଓଙ୍କ ନିର୍ଦ୍ଦେଶରେ ମାଇକରେ ଇଚ୍ଛାପଡାକୁ ଯାଇ ପ୍ରଚାର କରିଥିଲେ କର୍ମଚାରୀ ।
ଏହାର ଠିକ ଗୋଟିଏ ଦିନ ପୂର୍ବରୁ ନିଜେ ପୌର ପରିଷଦ ଇଓ ଏହି ବସ୍ତିକୁ ଯାଇ ଉଚ୍ଛେଦ ହେବ ନାହିଁ ବୋଲି କହିଥିଲେ । କିନ୍ତୁ ଗତାକାଲି(ବୁଧବାର) ହଠାତ ତାଙ୍କର ଏହି ପଦକ୍ଷେ ପରେ ବସ୍ତି ବାସିନ୍ଦା ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ସେପଟେ ପୌର ପରିଷଦ ଅଧ୍ୟକ୍ଷା ଏହି ଘଟଣା ପରେ ବଲାଙ୍ଗୀରର ସବୁ କାଉନ୍ସିଲରଙ୍କ ସହିତ ବସ୍ତିକୁ ଯାଇ ସେଠାକାର ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏବଂ ଏହି ବସ୍ତିକୁ କୌଣସି ମତେ ଉଚ୍ଛେଦ କରିବାକୁ ଦିଆ ଯିବ ନାହିଁ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ପୂର୍ବରୁ ମଧ୍ୟ ବଲାଙ୍ଗୀର ଫଳସା ପତ୍ରି ବସ୍ତି ଉଚ୍ଛେଦକୁ ନେଇ ଜିଲ୍ଲା ପ୍ରଶାସନ ସହ ବଲାଙ୍ଗୀର ପୌର ପରିଷଦ କାଉନସିଲ ମୁହାଁମୁହିଁ ହୋଇଥିଲେ ।
ଆଜି ପୁଣି ସମାନ ଭାବରେ ପୌର ପରିଷଦ କାଉସିଲ ଓ ଇଓ ମୁହାଁମୁହିଁ ହୋଇଛନ୍ତି । ତେବେ ବିଭିନ୍ନ ପ୍ରକଳ୍ପ ପାଇଁ ଅନେକ ଖାଲି ସ୍ଥାନ ଥିବା ବେଳେ କାହା ସ୍ୱାର୍ଥ ଓ ଚାପରେ ପ୍ରଶାସନ କେବଳ ଏହି ଇନ୍ଦିରା ନଗର ଓ ଇଚ୍ଛାପଡା ବସ୍ତିକୁ ଉଚ୍ଛେଦ କରିବା ଚେଷ୍ଟା କରୁଛି ବୋଲି ପୌର ଅଧ୍ୟକ୍ଷା ଲିକା ସାହୁ ପ୍ରଶ୍ନ କରିଛନ୍ତି । ଲୋକଙ୍କ ଘର ଭାଙ୍ଗି ଏଠି କୌଣସି ବିକାଶ କାମ ଠିକ ନୁହେଁ ବୋଲି ସେ କହିଛନ୍ତି । ତେବେ ଏଥିପାଇଁ ତାଙ୍କ କାଉନସିଲ ସବୁବେଳେ ଲୋକଙ୍କ ସାଥିରେ ଅଛି ଓ ଆଗକୁ ରହିବ ବୋଲି ସେ କହିଛନ୍ତି। ସେହିପରି ମହାରାଣୀ ସାଗରରେ ନୂଆ ଭାବରେ ଡ଼ିପିଆର ପ୍ରସ୍ତୁତ ହେବ ଓ କାମ ଆଗକୁ ହେବ ବୋଲି ମଧ୍ୟ ସେ କହିଛନ୍ତି। ଯେଉଁଥିରେ ଲୋକ ଯେମିତି ବିସ୍ତାପିତ ନହେବେ ତା ପାଇଁ ପଦକ୍ଷେପ ନେବାର କଥା ସେ କହିଛନ୍ତି ।
ସ୍ଥାନୀୟ ବାସିନ୍ଦା ଏନେଇ କହିଛନ୍ତି ଯେ, "ମ୍ୟୁନିସିପାଲଟିରୁ ଆସି ଆମକୁ ହଇରାଣ କରୁଛନ୍ତି । ମହାରାଣୀ ସାଗରର ଉନ୍ନତି କରଣ ପାଇଁ ପଙ୍କ ସଫା କରାଯିବ, ତେଣୁ ଏହି ଅଞ୍ଚଳରେ ଉଚ୍ଛେଦ କରାଯିବ । ଏଥିପାଇଁ ଆମେ ୪୮ ଘଣ୍ଟା ସମୟ ଦେଇଛୁ । ଯେଉଁମାନେ ସରାକାରୀ ଯାଗାରେ ରହିଛନ୍ତି ବସ୍ତି ଖାଲି କରିବାକୁ କହିଛନ୍ତି । ଆମେ ଦୀର୍ଘ ବର୍ଷ ହେଲା ଏଠାରେ ରହି ଆସୁଛୁ । ତେବେ ଏବେ ଏମିତି କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ବସ୍ତି ବାସିନ୍ଦା ।"
ଇଟିଭି ଭାରତ, ବଲାଙ୍ଗୀର