ଓଡିଶା

odisha

ETV Bharat / state

Fake Certificate Issue: କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ - ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲା

ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲା । କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ

Fake Certificate Issue
Fake Certificate Issue

By

Published : Apr 22, 2023, 2:13 PM IST

Fake Certificate Issue

ବଲାଙ୍ଗୀର: ଜାଲ ସାର୍ଟିଫିକେଟ ଘଟଣାରେ ଅନେକ ଗୁମର ସାମ୍ନାକୁ ଆସିଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି । ତେବେ ତଦନ୍ତକୁ ଇତିମଧ୍ୟରେ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ପ୍ରକୃତ ଘଟଣାକୁ ସାମ୍ନାକୁ ଆଣିବାରେ ବିଫଳ ହୋଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତ ବାଟବଣା ହେବା ସହ ତଦନ୍ତକୁ ନେଇ ସନ୍ଦେହ ଉପୁଜୁଥିବା କହିଛନ୍ତି ସ୍ଥାନୀୟ ଲୋକେ ।


ଅଭିଯୋଗ ଓ ଘଟଣା ଅନୁସାରେ, ଗତ ମାର୍ଚ୍ଚ 22 ତାରିଖରେ ସମ୍ନାକୁ ଆସିଥିଲା ସତ୍ୟ । ଯେଉଁଥିରେ ବଲାଙ୍ଗୀର ଡାକ ବିଭାଗରେ ବିପିଏମ ଓ ଏବିପିଏମ ପଦବୀ ପାଇଁ ଆବେଦନ ଆସିଥିଲା । ଏଥିରୁ 37ଟି ଆବେଦନକାରୀ ଜାଲ ସାର୍ଟିଫିକେଟ ଦେଇଥିବାର ଅଭିଯୋଗ କରିଥିଲେ ବଲାଙ୍ଗୀର ପୋଷ୍ଟାଲ ଅଧ୍ୟକ୍ଷ୍ୟ । ତେବେ ଅଭିଯୋଗରେ ବଲାଙ୍ଗୀର ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ କରିଥିଲା । ଗତ 25 ମାର୍ଚ୍ଚରେ ପୋଲିସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତା ସହିତ 19 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଏହି ଜାଲ ସାର୍ଟିଫିକେଟ ରାକେଟର ଚେର ଜିଲ୍ଲା ଓ ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବିଥିବାର ଜଣାପଡିଥିଲା।

ଯାହାପରେ ତଦନ୍ତ ଭାର ଓଡ଼ିଶା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର 10 ଜଣିଆ ଟିମ ସହ ନିଜେ କ୍ରାଇମବ୍ରାଞ୍ଚ ଆଇଜି ବଲାଙ୍ଗୀର ଆସିଥିଲେ । ତେବେ ଏହାରି ଭିତରେ ୧୫ ଦିନ ବିତିଯାଇଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ । ଏହି ଘଟଣାରେ ଆଉ କାହାକୁ ଗିରଫ କରାଯାଇ ନଥିବାରୁ ବଲାଙ୍ଗୀରର ଯୁବ ନେତା ତଥା ସମାଜସେବୀ ବିନୋଦ କାଳସାଏ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ସନ୍ଦେହ ପ୍ରକଟ କରିଛନ୍ତି ।

ଏନେଇ ସେ କହିଛନ୍ତି, "କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଲୋକ ଦେଖାଣିଆ । ଏମାନେ ଏଠି ଖରା ଛୁଟି କାଟିବାକୁ ଆସିଥିଲେ । କେବଳ ଡାକ ବିଭାଗ ନୁହେଁ ଅନେକ ବିଭାଗରେ ଜାଲ ସାର୍ଟିଫିକେଟଧାରୀ ରହିଛନ୍ତି । କ୍ରାଇମବ୍ରାଞ୍ଚ ସଠିକ ତଦନ୍ତ କରିବା ଆବଶ୍ୟକ ।" ସେହିପରି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ କରିଛନ୍ତି । ସାଲୁଜା କହିଛନ୍ତି ଯେ, ରାଜ୍ୟର 40ଟି ଏମ୍ପ୍ଲୟମେଣ୍ଟ କାର୍ଯ୍ୟାଳୟରେ 8 ଲକ୍ଷ 80 ହଜାର 175 ଜଣ ବେକାର ଯୁବକ ଯୁବତୀ ପଞ୍ଜିକରଣ କରିଛନ୍ତି । ହେଲେ ଏମାନେ ଚାକିରିରୁ ବଞ୍ଚିତ ହେଉଥିବା ବେଳେ ନକଲି ଜାଲ ସାର୍ଟିଫିକେଟଧାରୀ ଚାକିରି କରୁଛନ୍ତି ।

ଏହାକୁ ନେଇ ସେ ବିଧାନସଭାରେ ପ୍ରଶ୍ନ କରିବା ପରେ ସରକାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ବଲାଙ୍ଗୀର ଜିଲ୍ଲା ସହ ଅନ୍ୟ ସବୁଠି ଏହି ରାକେଟ ସକ୍ରିୟ ଥିବାବେଳେ ହଜାର ହଜାର ଜାଲ ସାର୍ଟିଫିକେଟଧାରୀ ଚାକିରି କରୁଛନ୍ତି । କିନ୍ତୁ କ୍ରାଇମବ୍ରାଞ୍ଚ ଏହି ତଦନ୍ତ କରିବାର 15 ଦିନରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ସୁଦ୍ଧା ତଦନ୍ତ ଯେଉଁଠି ଥିଲା ସେଠି ଅଛି ବୋଲି ସେ କହିଛନ୍ତି । ଯାହା ପୋଲିସ ତଦନ୍ତ କରି ଛାଡିଥିଲା ସେତିକିରେ କ୍ରାଇମବ୍ରାଞ୍ଚ ଅଟକିଛି । କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଆସିଲା ବୁଲିଲା ଖାଇଲା ଓ ପଳେଇଲା । ସେହିପରି ରାଜ୍ୟ ସରକାର ଯେଉଁ ସବୁ ମାମଲା କ୍ରାଇମବ୍ରାଞ୍ଚକୁ ଦେଇଥାନ୍ତି ତାହା ବିଫଳ ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି ସାଲୁଜା ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details