ବଲାଙ୍ଗୀର: ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକ ମୁହାଁମୁହିଁ ହେବା ଘଟଣାର ବିବାଦ ଆହୁରି ତେଜିବାରେ ଲାଗିଛି । ପ୍ରଶାସନିକ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ମଧ୍ୟ ଅନୁରୂପ ଭାବରେ ଆନ୍ଦୋଳନ ଚେତାବନୀ ମାମଲାକୁ ଆହୁରି ଗୁରୁତର କରିଛି । ଜିଲ୍ଲାପାଳଙ୍କ ପ୍ରତି ବିଧାୟକଙ୍କ ଆଚରଣ ପ୍ରଦର୍ଶନକୁ ନେଇ ନିନ୍ଦା ପ୍ରକାଶ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା 16 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ପ୍ରଶାସନିକ ସେବା ସଂଘ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ।
ଗତ 13 ତାରିଖରେ ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ବିଜୁ କେବିକେ ଯୋଜନାରେ ଅନୁଦାନ ଅର୍ଥକୁ ଜିଲ୍ଲାପାଳ ମନମୁଖୀ ଭାବେ କଣ୍ଟାବାଞ୍ଜି ଅଞ୍ଚଳ ପାଇଁ କାଟି ଦେଇଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବିଧାୟକ ସନ୍ତୋଷ ସିଂ ସାଲୁଜଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରବର୍ତ୍ତୀ ସମୟରେ ସନ୍ତୋଷ ସିଂ ସାଲୁଜା ନିଜ ଚୌକି ଛାଡି ଜିଲ୍ଲାପାଳଙ୍କ ପାଖକୁ ଯାଇ ତାଙ୍କ ଉପରେ ବର୍ଷିଥିଲେ। " ତୁମେ କିଏ ? ଆପଣଙ୍କର କଣ କ୍ଷମତା ଅଛି" ଯେ ମନମୁଖୀ ଭାବେ ଟଙ୍କା କାଟିଦେବା ନେଇ ସେ ଯୁକ୍ତି କରିଥିଲେ ।
ଯାହାକୁ ନେଇ ବୈଠକରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଟୁକୁନି ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ବୁଝାସୁଝା କରିଥିଲେ । ମାତ୍ର ସନ୍ତୋଷ ସିଂ ସାଲୁଜା ଏଥିରେ ରାଗି ଯାଇଥିଲେ । ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିବା ବେଳେ ବଲାଙ୍ଗୀର ପ୍ରଶାସନିକ ସେବା ସଂଘ ଆନ୍ଦୋଳନ ଚେତାବନୀ ଦେଇଛି । ଜିଲ୍ଲାପାଳଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରିବାକୁ ଏମାନେ ଦୃଢ଼ ନିନ୍ଦା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା 16 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରାଯିବ ବୋଲି ବଲାଙ୍ଗୀର ପ୍ରଶାସନିକ ସେବା ସଂଘ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ସୂଚନା ଦେଇଛି ।