ବଲାଙ୍ଗୀର:ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ଘଟଣାରେ ଲାଗି ରହିଛି ଜନଅସନ୍ତୋଷ । ସବୁ ସ୍ଥାନରେ ବିକ୍ଷୋଭ କରୁଛନ୍ତି ବିରୋଧୀ । ଏହି ହତ୍ୟା ମାମଲାରେ ବଡ ବଡ ନେତା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗର୍ଜୁଛନ୍ତି । ସମାନ ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମୁହଁ ଖୋଲିଛନ୍ତି । ପୀଡିତା ପରିବାରର ଦାବି ମୁତାବକ ଘଟଣାର ତଦନ୍ତ ହେଉ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।
ମମିତାଙ୍କୁ ନ୍ୟାୟ ଦାବିରେ ବଲାଙ୍ଗୀରରେ କଂଗ୍ରେସ ଆନ୍ଦୋଳନ କରୁଥିବାବେଳେ ଗତକାଲି(ଗୁରୁବାର) ନରସିଂହ ମିଶ୍ର ମମିତାଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ । ଏହାପରେ ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ପୀଡିତା ପରିବାରର ଦାବି ଅନୁଯାୟୀ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଗଠିତ ଉଚିତ୍ ସଂସ୍ଥା ଦ୍ବାରା ମାମଲାର ତଦନ୍ତ ପାଇଁ କଂଗ୍ରେସ ନେତା ମଧ୍ୟ ଦାବି କରିଛନ୍ତି । ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହଜନକ ଥିବାବେଳେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ କହିଛନ୍ତି ନରସିଂହ ।