ଓଡିଶା

odisha

ଆଇନ ଶୃଙ୍ଖଳା ସ୍ଥିତି ନେଇ ବଲାଙ୍ଗୀରରେ କାଦୁଅ ଫିଙ୍ଗା ରାଜନୀତି, ମୁହାଁମୁହିଁ ବିଜେଡି-କଂଗ୍ରେସ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗା । ବିଜେଡି ଗୁଣ୍ଡାଗର୍ଦ୍ଦିରେ ସାର୍ଟିଫିକେଟ ପାଇଛି ବୋଲି କହିଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ

By

Published : Feb 22, 2023, 12:09 PM IST

Published : Feb 22, 2023, 12:09 PM IST

Updated : Feb 22, 2023, 2:35 PM IST

Conflict between Congress and BJD
Conflict between Congress and BJD

ଆଇନ ଶୃଙ୍ଖଳା ସ୍ଥିତି ନେଇ ବଲାଙ୍ଗୀରରେ କାଦୁଅ ଫିଙ୍ଗା ରାଜନୀତି

ବଲାଙ୍ଗୀର:ନବ ଦାସଙ୍କ ମୃତ୍ୟୁ ପରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳ ପରିସ୍ଥିତିକୁ ନେଇ ରାଜନୀତି ଜୋର ଧରିଛି । ଉଭୟ ବିଜେପି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରୁଛନ୍ତି । ଏସବୁ ଭିତରେ ବାଲଙ୍ଗୀରରେ ଆଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ କଂଗ୍ରେସ ଓ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଥିବାର ଦେଖିବାକୁ ମିଳିଛି । ପ୍ରଥମେ କଥାରେ କଥାରେ ଦୁଇ ରାଜନୈତିକ ଦଳ ଦୋଷ ଲଦାଲଦି ହେଉଥିବା ବେଳେ ଏବେ ବିଭିନ୍ନ ସଭା ସମିତିରେ ମୁହାଁମୁହିଁ ହେଉଛନ୍ତି । ବିଜେଡି ଦଳ ଗୁଣ୍ଡାଗର୍ଦ୍ଦି ଚଳାଇଥିବା କଂଗ୍ରେସ ଅଭିଯୋଗ କରୁଥିବାବେଳେ ବିଜେଡି ମଧ୍ୟ କଂଗ୍ରେସ ବିରୁଦ୍ଧରେ ସମାନ ଅଭିଯୋଗ କରୁଛି । ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଦୁଇ ପ୍ରମୁଖ ଦଳ । ଏମିତିରେ କିଏ ହିଂସାକୁ ପ୍ରଶୟ ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ବଲାଙ୍ଗୀରରେ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଦୀର୍ଘ ଦିନରୁ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସିଧାସଳଖ ବିଜେଡିକୁ ଦୋଷ ଦେଉଛନ୍ତି । ବଲାଙ୍ଗୀରର ବିକାଶରେ ଖୋଦ ସରକାରୀ ଦଳର ନେତା ବାଧା ଦେଉଥିବାର ଅଭିଯୋଗ କରୁଛନ୍ତି । ଅପରପକ୍ଷେ ବିଜେଡି ନରସିଂହ ମିଶ୍ରଙ୍କୁ ଗରୀବର ଶତ୍ରୁ କହିବା ସହ ସେ ହିଂସାକୁ ପ୍ରଶୟ ଦେଉଥିବାର ଅଭିଯୋଗ କରିଛି । ଏହି ରାଜନୀତି ଏବେ ଏଠାରେ ଭିନ୍ନ ମୋଡ଼ ନେଇଥିବା ବେଳେ ଜିଲ୍ଲାର ବିଭିନ୍ନ ସଭା ସମିତିରେ ଦୁଇ ଦଳ ମୁହାଁମୁହିଁ ହେବା ଆରମ୍ଭ ହୋଇଛି ।

ନିକଟରେ ବଲାଙ୍ଗୀର ସଂସ୍କୃତି ଭବନରେ ମନ୍ତ୍ରୀ, ଜିଲ୍ଲାପାଳ ଓ ପୋଲିସ ଉପସ୍ଥିତରେ ବିଜେଡି କାଉନସିଲର ସହ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ତାଙ୍କ କର୍ମୀଙ୍କ କଥା କଟାକଟି ହୋଇଥିଲା । ବିଧାୟକ ଓ ତାଙ୍କ କର୍ମୀ ଜଣେ ମହିଳା କାଉନସିଲରଙ୍କୁ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ସେହପରି କଂଗ୍ରେସ ମଧ୍ୟ ପାଲଟା ଅଭିଯୋଗ ଆଣି ବଲାଙ୍ଗୀର ବିଜେଡି ବିରୋଧରେ ଟାଉନ ଥାନାରେ ଏତଲା ଦେଇଥିଲା । ପରବର୍ତ୍ତୀ ସମୟରେ ବଲାଙ୍ଗୀରରେ ପ୍ରଥମ କରି ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧରେ ବିଜେଡି ଏକ ବିରାଟ ଆନ୍ଦୋଳନ କରିଥିଲା । ନରସିଂହ ମିଶ୍ର ଗରିବଙ୍କ ଶତ୍ରୁ ତଥା ହିଂସାକୁ ପ୍ରଶୟ ହେଉଥିବା ଓ ହିଂସା ଘଟାଉଥିବାର କହିଥିଲା ବିଜେଡି ।

ଅନ୍ୟପଟେ ବିଧାୟକ ନରସିଂହ ମିଶ୍ର ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ନରସିଂହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଗୁରୁ କରିଛନ୍ତି । ତାଙ୍କ ଦଳ ଗୁଣ୍ଡା ଗର୍ଦ୍ଦି କରୁଛି । ନିର୍ବାଚନରେ ମଧ୍ୟ ନବୀନ ଗୁଣ୍ଡା ଲଗାଇ ବୁଥ ରିଗିଂ କରି ନିର୍ବାଚନ ଜିତିଥିଲେ । ତାଙ୍କର ଦଳ ହିଁ ହିଂସାକୁ ପ୍ରଶୟ ଦେଇ ଆସୁଛି । ଯାହାଫଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା କରାଗଲା । ଜଣେ ପୂର୍ବତନ ମନ୍ତ୍ରୀ ଗୁଣ୍ଡା ନେଇ ବଲାଙ୍ଗୀର ଆସନ୍ତି ଓ ଏଠି ଗୁଣ୍ଡାଗର୍ଦ୍ଦି କରନ୍ତି । ବିଜେଡି ଗୁଣ୍ଡାଗର୍ଦ୍ଦିରେ ସାର୍ଟିଫିକେଟ ପାଇଛି ବୋଲି ସେ କହିଛନ୍ତି ।

ସେପଟେ କଂଗ୍ରେସ ନେତାଙ୍କ ଏହି ବୟାନ ପରେ ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ କଡା ପ୍ରତିକ୍ରିୟା ରଖିଛନ୍ତି । ବଲାଙ୍ଗୀରରେ ୩୦ ବର୍ଷରୁ କିଏ ଗୁଣ୍ଡା ଗର୍ଦ୍ଦି କରିଆସୁଛି ତାହା ସମସ୍ତଙ୍କୁ ଜଣା ବୋଲି ସେ କହିଛନ୍ତି । ସେହିପରି ସେ ବଲାଙ୍ଗୀର ଏକା ଆସନ୍ତି ଏପରିକି କୌଣସି ସୁରକ୍ଷା ନିଅନ୍ତି ନାହିଁ ବୋଲି କହିବା ସହ ସେ କେବେ ଗୁଣ୍ଡା ଆଣିଥିବାର ପ୍ରମାଣିତ ହେଲେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଛନ୍ତି ।

ଭଟଲି ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି କେବେ ହିଂସାକୁ ପ୍ରଶୟ ଦିଏ ନାହିଁ । ଏପରିକି ବିଧାୟକମାନେ ମଧ୍ୟ କିଛି ବେଆଇନ କାମ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜେଲ ପଠାନ୍ତି ଓ ଏହାର ଅନେକ ଉଦାହରଣ ଅଛି । ସେ ବି ଖଣ୍ଡା ଧାରରେ ଚାଲୁଛନ୍ତି । କେବେ ତାଙ୍କର ମଧ୍ୟ ଭୁଲ ହେଲେ ନବୀନ ପଟ୍ଟନାୟକ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି । ବଲାଙ୍ଗୀରର ଏହି ଦୁଇ ପ୍ରମୁଖ ଦଳ ଏବେ ହିଂସା ଗୁଣ୍ଡାଗର୍ଦ୍ଦିକୁ ନେଇ ଆମନା ସାମ୍ନା ହେବାରେ ଲାଗିଛନ୍ତି । ଏହାରି ସ୍ଥଳେ ଗୁଣ୍ଡା କିଏ ? କିଏ ହିଂସାକୁ ପ୍ରଶୟ ଦେଉଛି ଭଳି ଅନେକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 22, 2023, 2:35 PM IST

ABOUT THE AUTHOR

...view details