ବଲାଙ୍ଗୀର: ବଲାଙ୍ଗୀର ସମଗ୍ର ସହର ଏବେ ସିସିଟିଭି ନଜରରେ ରହିବ (CCTV installed in Balangir)। ଲାଗିଲା ଅତ୍ୟାଧୁନିକ ସିସିଟିଭି ବ୍ୟବସ୍ଥା । ଅପରାଧ, ଟ୍ରାଫିକ ସମସ୍ୟା ସହ ଅପରାଧୀଙ୍କୁ ଧରିବ ସିସିଟିଭି । ବଲାଙ୍ଗୀର ସହରରେ କ୍ରମଶଃ ବଢି ଚାଲିଛି ଅପରାଧ । ଅପରାଧୀଙ୍କୁ ଟ୍ରାକ କରିବା ପାଇଁ ଆଧୁନିକ ଜ୍ଞାନକୌଶଳର ଆବଶ୍ୟକତା ଥିଲା ।
ଏହାକୁ ନେଇ ଜିଲ୍ଲାପାଳ ଓ ବଲାଙ୍ଗୀର ଏସପି ଏକ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଜଣାଇଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ଏହା ପାଇଁ ଅନୁଦାନ ଦେଇଥିବା ବେଳେ ଏବେ ସହରରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ବ୍ୟବସ୍ଥା ଲାଗିଛି।ଏହି ସିସିଟିଭି କ୍ୟାମେରା ଦିନ ରାତି କାମ କରିବ । ଏହାସହ ଭିଡ ମଧ୍ୟରେ ଲୋକଙ୍କ ଚେହେରା, ଗାଡି ନମ୍ବର ପ୍ଲେଟ ଇତ୍ୟାଦି ରେକର୍ଡ କରିପାରିବ ।
ଏହି ରେକର୍ଡ ଆଗକୁ ପୋଲିସ ପାଖରେ ଥିବା ଅପରାଧୀଙ୍କ ଡାଟାବେଶ ମଧ୍ୟରୁ ସମ୍ପୃକ୍ତ ଅପରାଧୀକୁ କ୍ଷଣିକେ ଚିହ୍ନଟ କରିପାରିବା ଭଳି ବ୍ୟବସ୍ଥା ରହିଛି । ସମାନ ଭାବରେ ଏହି ଡାଟା ଓଡିଶାର ପିପିଏନଏସ ଡାଟା ସହିତ ମଧ୍ୟ ଯୋଡ଼ାଯିବ । ଏହା ଅପରାଧୀଙ୍କୁ ଟ୍ରାକ କରିବାରେ ସମର୍ଥ ହେବ ବୋଲି କୁହାଯାଇଛି । ବଲାଙ୍ଗୀରରେ ପୂର୍ବରୁ 24ଟି କ୍ୟାମେରା ଲାଗିଥିଲା ।
ଏବେ ପୁଣି ଶହେଟି ନୂଆ ଅତ୍ୟାଧୁନିକ କ୍ୟାମେରା ଲାଗିଛି । ଯାହା ଲୋକଙ୍କ ଚେହେରା, ନମ୍ବର ପ୍ଲେଟ ରେକର୍ଡ କରି ପାରିବାର କ୍ଷମତା ରଖିଛି । ଫଳରେ ବଲାଙ୍ଗୀରରେ ଅପରାଧ ରୋକି ହେବ ବୋଲି ବଲାଙ୍ଗୀର ଏସପି ନିତିନ କୁସଲକର କହିଛନ୍ତି । ସେହିପରି ଆଗକୁ ସହର ମଧ୍ୟରେ ଟ୍ରାଫିକ ନିୟମ କଡାକଡି କରାଯିବ। ଇ-ଚାଲାଣ ଏହା ଦ୍ବାରା କଟାଯିବ ବୋଲି ଏସପି କହିଛନ୍ତି ।