ବଲାଙ୍ଗୀର:ସହରକୁ ଜଗିଛି ତୃତୀୟ ନୟନ । ଅପରାଧୀ ସାବାଡ ହେବା ସହ ନିୟମ ଉଲ୍ଲଘଂନ କରିବେ କଟୁଛି ଚାଲାଣ । ୨୪ ଘଣ୍ଟିଆ ସିସିଟିଭି ନଜରରେ ସହର ରହିଥିବାରୁ ଅପରାଧୀ ସାବାଡ ହେବା ନେଇ ଅନୁମାନ କରାଯାଉଛି । ଏହି ସିସିଟିଭି କ୍ୟାମେରା ସହର ମଧ୍ୟରେ ଅପରାଧ ଓ ଅପରାଧୀଙ୍କ ଉପରେ ଲଗାମ ଲାଗିବ । ଏହାଛଡା ଟ୍ରାଫିକ ନିୟମ ଉଲ୍ଲଘଂନ କରିଲେ କଟିବ ଇ ଚାଲାଣ ।
କିଛି ଦିନ ମଧ୍ୟରେ 100ରୁ ଊର୍ଦ୍ଧ୍ବ ଲୋକଙ୍କ ଇ-ଚାଲାଣ କଟିଛି । ତେବେ ପ୍ରଥମ ପର୍ଯ୍ୟାୟରେ ବାଇକରେ ତିନି ଜଣ ବସିବା, ବାଇକ ଚଳାଇବା ସମୟରେ ମୋବାଇଲରେ କଥା ହେବା କିମ୍ବା ଦ୍ରୁତ ଗତିରେ ବାଇକ ଚଳାଇବାକୁ ଗୁରୁତ୍ଵ ଦିଆଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସ୍ଥାକୁ ବଲାଙ୍ଗରବାସୀ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ସହରରେ ନିହାତି ଭାବରେ ଅପରାଧ କମିବ ବୋଲି ସହରର ବୁଦ୍ଧିଜୀବୀ କହିଛନ୍ତି ।
ତେବେ ବୁଦ୍ଧିଜୀବୀ କହିଛନ୍ତି, "ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ଇ-ଚାଲାଣ କରିବା କିମ୍ବା ଫାଇନ କାଟିବା ପୂର୍ବରୁ ପୋଲିସ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ଥିଲା । ତେବେ ଲୋକଙ୍କ ଉପରେ କେବଳ ଫାଇନ କାଟିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ, ତେଣୁ ଲୋକଙ୍କୁ ଟ୍ରାଫିକ ନିୟମ ଉପରେ ଅବଗତ କରିବା ଓ ସଚେତନ କରିବା ନିହାତି ଆବଶ୍ୟକ । କେବଳ ସହର ମଧ୍ୟରେ ଦୁର୍ଘଟଣା ଘଟୁନାହିଁ ସହର ବାହାରେ ଅପେକ୍ଷାକୃତ ଅଧିକ ଦୁର୍ଘଟଣା ଘଟୁଛି । ତେଣୁ ଏହା ଉପରେ ମଧ୍ୟ ପୋଲିସ କଡା ପଦକ୍ଷେପ ନେବା ଆବଶ୍ୟକ ରହିଛି । "