ବଲାଙ୍ଗୀର:ଜିଲ୍ଲାରେ ଆଷାଢ ଯାଇ ଶ୍ରାବଣ ଆସିଥିବା ବେଳେ ଏଯାଏଁ ନିରାଶ କରିଛି ବର୍ଷା। ଆରମ୍ଭ ହୋଇ ପାରି ନାହିଁ ଚାଷ କାମ । ଏନେଇ ବଲାଙ୍ଗୀରର ଦେଓଗାଁ ବ୍ଳକ ଜରାସିଂହାରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ିଆଇ ଯାତ୍ରା ବା କାଦୋଯାତ୍ରା ଅନୁଷ୍ଠିତ । ପୂର୍ବ ପ୍ରସ୍ତୁତି ଅନୁସାରେ ସୋମବାର ୧୧ଟା ସମୟରେ ବୁଢ଼ିଆଈ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଏନେଇ ବଳାଙ୍ଗୀର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲା ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଲିଥିଲା । ଯେହେତୁ ଏହା ଏକ କୃଷିଭିତ୍ତିକ ପର୍ବ ଓ ଏହି ପର୍ବରେ ଚଳିତ ବର୍ଷା ଓ ଚାଷକୁ ନେଇ ଆକଳନ କରାଯିବାର ପରମ୍ପରା ରହିଛି,ତେଣୁ ବହୁ ଚାଷୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ତେବେ ଏହି ଐତିହାସିକ ଯାତ୍ରା ପ୍ରତିବର୍ଷ ପରି ଆଷାଢ଼ ଶୁକ୍ଲ ତ୍ରୟୋଦଶୀ ତିଥିରେ ଅର୍ଥାତ ଶନିବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଶନିବାର ଦିନ ଗାଁର ସମସ୍ତ ଶ୍ରଦ୍ଧାଳୁ ନିଜ ନିଜ ଘରୁ ଗୋରସ ଆଣିବା ପର ବୁଢ଼ିଆଈ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ରବିବାର ଦିନ ସନ୍ଧ୍ୟାରେ ପେଠା ବାବୁ ଶଙ୍କର ସିଂ ବାବୁଙ୍କ ଦ୍ଵାରା ସେରନିବଟା ହୋଇଥିଲା । ଏହାପରେ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟାଯିବା ପରେ ତଲେଇବସା ପର୍ବ ପରେ ଉପେନପିଟା କରାଯାଇଥିଲା । ସୋମବାର ଦେହେରୀ ଓ ଝାଙ୍କରଙ୍କୁ ବରଣ କରାଯିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ବୁଢ଼ିଆଈ ଯାତ୍ରାର ମୁଖ୍ୟ ବରୁଆ ଭାବେ ସନ୍ତୋଷ ଥାନପତି ଦାୟିତ୍ଵ ନେଇଥିବା ବେଳେ ଜମିଦାର ଦୁର୍ଗାପ୍ରସାଦ ସିଂଦେଓ, ପୂଜକ ଉଜ୍ବଳ ଝାଙ୍କର, ସାହାଣି-ନାରାୟଣ ସିଂ ସାହାଣି, ପେଠା ବାବୁ ଶଙ୍କର ସିଂବାବୁ, ମଶାଲ ଶ୍ରୀବତ୍ସ ସାହୁ, ଛତ୍ରିଆ-ଜୟହିନ୍ଦ ଛତ୍ରିଆ ଭୂମିକା ନେଇଥିଲେ ।