ବଲାଙ୍ଗୀର: ବ୍ରିଜ ଭୁଶୁଡ଼ିବା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଆଜି ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଭୁବନେଶ୍ବରରୁ ଏକ ଦଳ ଘଟଣାସ୍ଥଳ ଆସି ପରିଦର୍ଶନ କରିଛନ୍ତି । ଏହି ଦଳରେ ଓଡ଼ିଶା ପ୍ଲାନ ଓ ପ୍ରୋଜେକ୍ଟ ମୁଖ୍ୟ ଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତୀ, ଓଡ଼ିଶା ବ୍ରିଜ ଏସଇ ହେମନ୍ତ କୁମାର ଦତ୍ତ ଓ ବଲାଙ୍ଗୀର ଆରଡିଏସଇ କାଳୀପ୍ରସାଦ ମହାକୁଡ ପ୍ରମୁଖ ଆସି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ବଲାଙ୍ଗୀର ବ୍ରିଜ ଭୁଶୁଡ଼ିବା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ନିର୍ମାଣରେ ବୈଷୟିକ ତ୍ରୁଟି ରହିଥିବା କଥା ଟିମ ମାନିଥିବା ବେଳେ ତଦନ୍ତ ରିପୋର୍ଟ ଖୁବଶୀଘ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ପ୍ରକାଶ କରାଯାଇଛି । ସରକାର ଦୋଷୀଙ୍କ ବିରୋଧୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓଡ଼ିଶା ପ୍ଲାନ ଓ ପ୍ରୋଜେକ୍ଟ ମୁଖ୍ୟ ଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତୀ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆ ମୁଦଲସର୍ ଗ୍ରାମ ନିକଟ ସୁକତେଲ ନଦୀ ଉପରେ ଥିବା ପୋଲ ଭୁଶୁଡ଼ି ପଡିଥିଲା । ଯେଉଁଥିରେ ଘଟଣାସ୍ଥଳରେ କାର୍ଯ୍ୟରତ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହି ବ୍ରିଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ହୋଇଥିବା ବେଳେ ନିର୍ମାଣର ବର୍ଷେ ନ ପୁରୁଣୁ ଏହା ଭୁଶୁଡ଼ି ପଡିଥିଲା ।
ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ନିମ୍ନମାନର କାମ ହୋଇଥିବାର ଅଭିଯୋଗ ହୋଇଥିବା ବେଳେ ତଦନ୍ତ କରାଯାଇ ବ୍ରିଜକୁ ମରାମତି ପାଇଁ ନିଷ୍ପତ୍ତି ହୋଇଥିଲା । ମରାମତି ହେଉଥିବା ବେଳେ ତାହା ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ