ବଲାଙ୍ଗୀର: ପୁଣି ସାମ୍ନାକୁ ଆସିଲା ଜାଲ ସାର୍ଟିଫିକେଟ ଘଟଣା । ଜାଲ ସାର୍ଟିଫିକେଟରେ 35 ବର୍ଷ ସରକାରୀ ଚାକିରି । ପୋଲିସ ଦ୍ବାରା ହେଲେ ବନ୍ଧା ବିଆରସିଏସ (BRCs) । ବଲାଙ୍ଗୀର ଜିଲ୍ଲାରେ ଜାଲ ସାର୍ଟିଫିକେଟ ସିଣ୍ଡିକେଟ ବହୁ ବର୍ଷରୁ ଚାଲିଥିବାର ଅଭିଯୋଗ ହୋଇ ଆସୁଥିଲା । ଏପରିକି ଏଥିରେ ଅନେକ ଜାଲ ପ୍ରମାଣ ପତ୍ର ବଳରେ ସରକାରୀ ଚାକିରି ହାତେଇ ଥିବାର ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ତେବେ ଏହାରି ମଧ୍ୟରେ ପୁଣି ଜଣେ ସରକାରୀ ଅଧିକାରୀ ଏଥିରେ ଗିରଫ ହୋଇଛନ୍ତି ।
ଗିରଫ ସରକାରୀ ଅଧିକାରୀ ଜଣକ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ବିଆରସିଏସ ଭାବରେ କାର୍ଯ୍ୟରତ ଥିବା ଶ୍ୟାମ ସୁନ୍ଦର ପ୍ରଧାନ । ଯାହାଙ୍କ ନାଁରେ ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାର ଅଭିଯୋଗ ଥିଲା । ତେବେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପୋଲିସ ପାଖରେ ଲିଖିତ ଅଭିଯୋଗ ପରେ ଆଜି ତାଙ୍କୁ ବଲାଙ୍ଗୀର ତୁଷୁରା ପୋଲିସ ଗିରଫ କରିଛି । ଗିରଫ ବିଆରସିଏସ ଜଣକ 28 ଜାନୁଆରୀ 1988 ମସିହାରେ ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିଲେ। । ପ୍ରଥମେ ସେ ତୁଷୁରା ହରିଜନ ପଡ଼ା ସରକାରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ ଚାକିରି ଆରମ୍ଭ କରିଥିଲେ । କିଛି ବର୍ଷ ହେବ ତାଙ୍କର ପଦୋନ୍ନତି ହୋଇ ସେ ଗୁଡଭେଲା ବିଆରସିଏସ ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ ।