ଓଡିଶା

odisha

ETV Bharat / state

ଏକାଠି ବସି ନୂଆଖାଇ ପାଳିଲେ ବଲାଙ୍ଗୀର ରାଜ ପରିବାର - ବଲାଙ୍ଗୀର ରାଜପରିବାର

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏକାଠି ବସି ନୂଆଖାଇ ପାଳିଲେ ବଲାଙ୍ଗୀର ରାଜ ପରିବାର । ଅଧିକ ପଢନ୍ତୁ

ଏକାଠି ବସି ନୂଆଖାଇ ପାଳିଲେ ବଲାଙ୍ଗୀର ରାଜ ପରିବାର
ଏକାଠି ବସି ନୂଆଖାଇ ପାଳିଲେ ବଲାଙ୍ଗୀର ରାଜ ପରିବାର

By ETV Bharat Odisha Team

Published : Sep 20, 2023, 4:58 PM IST

Updated : Sep 20, 2023, 6:03 PM IST

ନୂଆଖାଇ ପାଳିଲେ ବଲାଙ୍ଗୀର ରାଜ ପରିବାର

ବଲାଙ୍ଗୀର:ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏହି କୃଷିଭିତ୍ତିକ ଗଣପର୍ବ ପାଇଁ ଉତ୍ସବ ମୁଖର ରହିଛି ସାରା ବଲାଙ୍ଗୀର ଜିଲ୍ଲା । ରାଜାଠୁ ପ୍ରଜା ସମସ୍ତେ ମିଳିମିଶି ନୂଆ ଖାଇଛନ୍ତି । ବଲାଙ୍ଗୀର ରାଜ ପରିବାରର ସଦସ୍ୟ ମଧ୍ୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଓ ପୁରୁଣା ଦ୍ବେଷ ବିଦ୍ବେଷ ଭୁଲି ଶୈଳେଶ୍ରୀ ରାଜପ୍ରସାଦରେ ନୂଆଖାଇ ପାଳନ କରିଛନ୍ତି । ପାଟଣା ମହାରାଜା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦୀ ତଥା କାକା ଅନଙ୍ଗ ଉଦୟ ସିଂହଦେଓ, ତାଙ୍କ ପୁଅ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, କଳିକେଶଙ୍କ ପତ୍ନୀ ମେଘନା ସିଂହଦେଓ ପ୍ରମୁଖ ରାଜପ୍ରସାଦରେ ଏକାଠି ବସି ନୂଆ ଖାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ଓ ଜୁହାର କରିଛନ୍ତି ।

ନୂଆଖାଇ ପାଇଁ ସାରା ପଶ୍ଚିମ ଓଡିଶାରେ ଉତ୍ସାହର ମାହୋଲ । ବଲାଙ୍ଗୀରରେ ଧନୀରୁ ଗରିବ, ରାଜାଠୁ ପ୍ରଜା ସମସ୍ତେ ନୂଆଖାଇ ପାଳନ କରୁଛନ୍ତି । ଆଜି ଧାର୍ଯ୍ୟ ଲଗ୍ନ ଅନୁସାରେ ଅମୃତ ବେଳାରେ ବଲାଙ୍ଗୀର ଇଷ୍ଟଦେବୀ ମାଆ ପାଟଣେଶ୍ବରୀ ଓ ମାଆ ସମାଲେଇଙ୍କ ଠାରେ ନବାନ୍ନରୁ ପ୍ରସ୍ତୁତ ଭୋଗ ଲାଗି ହୋଇଛି । ଏହାପରେ ସମସ୍ତେ ନିଜ ନିଜ ଘରେ ମିଳିମିଶି ଏକାଠି ନୂଆ ଖାଇଛନ୍ତି । ଜିଲ୍ଲାର ସବୁ ବର୍ଗର ଲୋକେ ଏହି ନୂଆଖାଇ ପାଲନ କରୁଛନ୍ତି । ଏହି କ୍ରମରେ ବଲାଙ୍ଗୀର ରାଜା ପରିବାର ମଧ୍ୟ ନିଜ ଇଷ୍ଟଦେବୀଙ୍କ ଠାରେ ନୂଆ ଅନ୍ନ ଲାଗି କରିବା ପରେ ନିଜ ବଲାଙ୍ଗୀର ସ୍ଥିତ ରାଜପ୍ରସାଦରେ ନବାନ୍ନ ଖାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Nuakhai: ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି, ଘରେ ଘରେ ନୂଆଖାଇ ପାଳିତ

ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହେ ଦେଓ କହିଛନ୍ତି, ''ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ । ତାଙ୍କ ପରିବାର ମଧ୍ୟ ସବୁ ଦ୍ବେଷ ବିଦ୍ବେଷ ଭୁଲି ଏକାଠି ନୂଆ ଖାଇଛନ୍ତି । ନୂଆଖାଇରେ ସେମାନେ କୌଣସି ରାଜନୈତିକ ଅଭିପ୍ରାୟ ନରଖି ଏକତ୍ର ହୋଇଛନ୍ତି ।'' ସେହିପରି ତାଙ୍କ କାକା ତଥା ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ନୂଆଖାଇ ଭିନ୍ନ ହୋଇଛି । ପୂର୍ବରୁ କୋରୋନା ଯୋଗୁଁ ଆଡମ୍ବର ସହକାରେ ଏହା ପାଳନ ହୋଇପାରିନଥିଲା । ଏ ବର୍ଷ ସମସ୍ତେ ଅତି ଧୁମଧାମରେ ପାଳନ କରୁଛନ୍ତି । ସାରା ପଶ୍ଚିମ ଓଡ଼ିଶାବାସୀଙ୍କୁ ସେ ଶୁଭେଚ୍ଛା ଦେବା ସହ ସମସ୍ତଙ୍କର ଉନ୍ନତି କାମନା କରିଛନ୍ତି ।

ସମାନ ଭାବରେ କଳିକେଶ ସିଂହଦେଓ ମଧ୍ୟ ସମସ୍ତଙ୍କୁ ନୂଆଖାଇର ଶୁଭେଛା ଜଣାଇଛନ୍ତି । ତାଙ୍କର ପତ୍ନୀ ମେଘନା ସିଂହଦେଓ ଯିଏକି ନେପାଳର ମୂଳ ନିବାସୀ, ସେ ମଧ୍ୟ ପୁରା ପରିବାର ସହ ଏକାଠି ନୂଆ ଖାଇ ଗଣପର୍ବ ନୂଆଖାଇ ପାଳନ କରିଛନ୍ତି । ଏହି ପର୍ବରେ ସମସ୍ତଙ୍କ ସହ ମିଳିମିଶି ନୂଆ ଖାଇବା ତାଙ୍କୁ ଖୁବ୍ ଆନନ୍ଦିତ କରିଥାଏ ବୋଲି କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 20, 2023, 6:03 PM IST

ABOUT THE AUTHOR

...view details