ବଲାଙ୍ଗୀର: ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ପଶ୍ଟିମ ଓଡିଶା । ଦେବ ଦମ୍ପତିଙ୍କ ଶୁଭ ବିବାହ ପାଇଁ ସଜେଇ ହେଉଛି ବଲାଙ୍ଗୀର ସହର । ଆସନ୍ତା ୬ ତାରିଖରେ ମା' ପାର୍ବତୀଙ୍କ ସହିତ ପ୍ରଭୁ ମହାଦେବଙ୍କ ଶୁଭ ପରିଣୟ ହେବ । ଏଥିପାଇଁ ବଲାଙ୍ଗୀର ସହରର ସବୁ ଆୟୋଜକ କମିଟିଙ୍କର ପ୍ରସ୍ତୁତି ଚୂଡାନ୍ତରେ ପହଞ୍ଚିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର ବଲାଙ୍ଗୀରରେ ଏଥର ମୋଟ ୯ଟି ଶୀତଳ ଶଷ୍ଠୀ କମିଟି ବଡ ଧୁମଧାମରେ ଏହି ଦେବ ବିବାହ ସମ୍ପନ୍ନ କରିବା ପାଇଁ ନିଜର ସବୁ ପ୍ରସ୍ତୁତିକୁ ଚୂଡାନ୍ତ ରୂପରେଖ ଦେଉଛନ୍ତି । ସୁଦପଡା, ରାଧାରାଣୀ ପଡା, ଏବିଏସଏସ ପଡା, ପେଲେସ ଲାଇନ , ଗାନ୍ଧି ନଗର ପଡା ଓ ବ୍ରାହ୍ମଣ ପଡା ଭଳି କମିଟିମାନେ ବଡ ଧରଣର ଆୟୋଜନ କରୁଛନ୍ତି । ସେପଟେ ସବୁ କମିଟି ସୁନ୍ଦର ମଣ୍ଡପ ଓ ତୋରଣ ସହିତ ବିଭିନ୍ନ କଳାକୃତି ମାନ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି କରୁଛନ୍ତି ।
ଦେବ ଦମ୍ପତିଙ୍କ ମାତା ପିତା ସାଜିବାର ଭାଗ୍ୟ ପାଇଥିବା ପରିବାର ମଧ୍ୟ ଖୁସିରେ ବିଭୋର ଥିବାବେଳେ ବିବାହ ପାଇଁ ସବୁ ସାମଗ୍ରୀ ଯୋଗାଡ କରିସାରିଛନ୍ତି ବୋଲି ବରପକ୍ଷ ମନୋରଞ୍ଜନ ବେହେରା କହିଛନ୍ତି । 7 ତାରିଖ ଦେବଦମ୍ପତିଙ୍କ ବିବାହ ଥିବାବେଳେ ମହାଦେବଙ୍କୁ ପୁଅ ହିସାବରେ ପାଇଥିବାରୁ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି ଶିବଙ୍କ ମାଆ ହୋଇଥିବା ନିଲାଦ୍ରୀ ବେହେରା କହିଛନ୍ତି ।
ଶୀତଳ ଷଷ୍ଠୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏଥିପାଇଁ ସମସ୍ତଙ୍କର ସହଯୋଗ ରହିଛି ବୋଲି ସଦସ୍ୟ ଆୟୋଜକ ଅନିଲ କୁମାର ସ୍ୱାଇଁ କହଛନ୍ତି । ଅନ୍ୟପକ୍ଷରେ ଶୀତଳ ଷଷ୍ଠୀ ପାଇଁ 4ରୁ ସାଢେ 4 ଲକ୍ଷ ଟଙ୍କା ବ୍ୟୟ ବରାଦ ରହିଥିବା ବେଳେ ସୁନ୍ଦର ଓ ସୁରୁଖୁରୁରେ କିପରି ବିବାହ ସମ୍ପନ୍ନ ହେବ, ସେଥିପାଇଁ ପ୍ରୟାସ ଚାଲିଥିବା ବ୍ରାହ୍ମଣ ପଡା ଶୀତଲ ଶଷ୍ଠୀ ପୂଜା କମିଟି ସଭାପତି କିଶୋର ଦଣ୍ଡ ସେନା କହିଛନ୍ତି ।
ଏହିପରି ଭାବେ ଚାଲିଛି ବଲାଙ୍ଗୀରର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ । ସାରା ସହର ଉତ୍ସବ ମୁଖରିତ ହୋଇପଡିଥିବାବେଳେ ଯାତ୍ରାରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ