ବଲାଙ୍ଗୀର: ବିଜେପି ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଅଣ୍ଡା ମାଡ଼ କରି ବିରୋଧ କରିଛନ୍ତି ବିଜେଡି କର୍ମୀ । ବିଜେପି ଓ ବିଜେଡି କର୍ମୀ ଧସ୍ତାଧସ୍ତି ପରେ ଥାନାରେ ପହଞ୍ଚିଛି ମାମଲା । ଜଣେ ପ୍ୟାକ୍ସ ସଭାପତି ଓ ଜଣେ ବିଜେଡି କର୍ମୀଙ୍କୁ ଅଟକ ରଖିଛି ପୋଲିସ ।
ସୂଚନା ଅନୁସାରେ ମଙ୍ଗଳବାର ସକାଳୁ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପୁଇଁତଲା ବ୍ଲକ ଅନ୍ତର୍ଗତ ଭାଲେର ଗ୍ରାମକୁ ଏକ ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯାଇଥିଲେ । ତେବେ ସେଠି ତାଙ୍କୁ ବିଜେଡି କର୍ମୀମାନେ କଳା ପତାକା ପ୍ରଦର୍ଶନ କରି ବିରୋଧ କରିଥିଲେ । ସେହିପରି ସେଠି ଦୀର୍ଘ ସମୟ ପର୍ଯ୍ୟନ୍ତ ବିଧାୟକଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ତେବେ ସେଠି ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ପରେ ବିଧାୟକ ମୁକେଶ ମହାଲିଙ୍ଗ ବିଭିନ୍ନ ପ୍ୟାକ୍ସ ପରିଦର୍ଶନ କରିଥିଲେ । ଏହି ସମୟରେ ପୁଇଁତଲା ପ୍ୟାକ୍ସ ସମ୍ମୁଖରେ ତାଙ୍କ ଗାଡିକୁ ଅଣ୍ଡା ମାଡ଼ ହେବା ସହ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରାଯାଇଥିବା ଅଭିଯୋଗ ହୋଇଛି ।