ବଲାଙ୍ଗୀର:ଜିଲ୍ଲାରେ ଲୋୟର ଶୁକତେଲ ପ୍ରକଳ୍ପ ଉଦ୍ଘାଟନୀ ସଭାରେ ନରସିଂହ ମିଶ୍ରଙ୍କ ଭଡ଼ାଟିଆ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ବିଧାୟକଙ୍କ ଏଭଳି ବୟାନକୁ ବିରୋଧ କରି ବିଜେଡି ମହିଳା ଶାଖା ଓ ଅନ୍ୟାନ୍ୟ ସଂଗଠନର ମହିଳାମାନେ ମିଳିତ ହୋଇ ପୋଲିସ, ଜିଲ୍ଲା ପ୍ରଶାସନ ଓ ମହିଳା କମିଶନ ପାଖରେ ଫେରାଦ ହୋଇଛନ୍ତି । ସଭାମଞ୍ଚରେ ମହିଳାଙ୍କୁ ଭଡ଼ାଟିଆ ସମ୍ବୋଧନ କରି ମହିଳାମାନଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣିବା ସହ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିଳାମାନେ । ଏନେଇ ବଲାଙ୍ଗୀର ଏସପିଙ୍କଠାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଗତ ଜାନୁଆରୀ 3 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଏହି ଅବସରରେ ହୋଇଥିବା ଉଦ୍ଘାଟନୀ ସଭାରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ । ଏହି ବିରାଟ ସଭାରେ ବଲାଙ୍ଗୀର ବିଧାୟକ ନିଜ ଅଭିଭାଷଣରେ ରାଜ୍ୟ ସରକାର ତଥା ସ୍ଥାନୀୟ ବିଜେଡି ନେତୃତ୍ୱ ଉପରେ ବର୍ଷିଥିଲେ । ସେହିପରି ନିଜ ଅଭିଭାଷଣରେ ଲୋକଙ୍କୁ ଭଡାରେ ଅଣାଯାଇ ଏହି କାର୍ଯ୍ୟକ୍ରମ ହୋଇଥିବାର କହିଥିଲେ । ଏପରିକି ଭଡ଼ାଟିଆ ଲୋକଙ୍କୁ ଜମା କରି କୌଣସି କାମ ହେବ ନାହିଁ ବୋଲି ସେ କହିଥିଲେ । ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି ।
ବିଜେଡି ମହିଳା ସଂଗଠନ ତଥା ଅନ୍ୟାନ୍ୟ ମହିଳା ସଂଗଠନମାନେ ଏଭଳି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଶୁକତେଲ ଉଦଘାଟନୀ ସଭାରେ ମହିଳାମାନେ ଉପସ୍ଥିତ ଥିଲେ । ବିଧାୟକ ଏଭଳି କହି ସିଧାସଳଖ ମହିଳାଙ୍କୁ ଅପମାନ ଦେଇଥିବାର ଅଭିଯୋଗ ଆଣିଛନ୍ତି ମହିଳା ନେତ୍ରୀ । ଏହା ବିରୋଧରେ ବଲାଙ୍ଗୀର ଏସପିଙ୍କ ଠାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ଜିଲ୍ଲାପାଳ ଓ ମହିଳା କମିଶନ ଠାରେ ମଧ୍ୟ ଏମାନେ ଅଭିଯୋଗ କରାଯିବ ବୋଲି କହିଛନ୍ତି ।